ମହାକାଳେଶ୍ଵର ମନ୍ଦିରରେ ବିରାଟ-ଅନୁଷ୍କାଙ୍କ ପୂଜାର୍ଚ୍ଚନା

ଉଜ୍ଜୟିନୀ (ମଧ୍ୟପ୍ରଦେଶ): ଷ୍ଟାର ବ୍ୟାଟର ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟପ୍ରଦେଶ ଉଜ୍ଜୟିନୀର ମହାକାଳେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା ସହ ବାବା ମହାକାଳଙ୍କ ଆଶୀର୍ବାଦ ନେଇଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କୋହଲି ଓ ତାଙ୍କ ପତ୍ନୀ ଭୋର ୪ ଟାରେ ମହାକାଳଙ୍କ ‘ଭସ୍ମ ଆଳତୀ’ କରିଥିଲେ। ଏହି ଦମ୍ପତି ମନ୍ଦିରର ନନ୍ଦୀ ହଲରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ବସିଥିଲେ। ପରେ ଉଭୟ ଗର୍ଭଗୃହରେ ‘ପଞ୍ଚାମୃତ ପୂଜା ଅଭିଷେକ’ ମଧ୍ୟ କରିଥିଲେ।

ପୂଜାର୍ଚ୍ଚନା ବେଳେ କୋହଲି ଧୋତି ପିନ୍ଧିଥିଲେ। ସେ ତାଙ୍କ ବେକରେ ରୁଦ୍ରାକ୍ଷ ମାଳା ପିନ୍ଧିଥିବାବେଳେ ତାଙ୍କ କପାଳରେ ଚନ୍ଦନ ଲେପନ ଦେଖିବାକୁ ମିଳିଥିଲା। ତାଙ୍କ ପତ୍ନୀ ଅନୁଷ୍କା ଏକ ହାଲକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। କୋହଲି-ଅନୁଷ୍କା ମନ୍ଦିରରେ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ରହିଥିଲେ ।

ମନ୍ଦିରରୁ ବାହାରିବା ପରେ ଅନୁଷ୍କା ଗଣମାଧ୍ୟମକୁ କହିଛନ୍ତି, “ଆମେ ଦର୍ଶନ ପାଇଁ ଏଠାକୁ ଆସିଥିଲୁ ଏବଂ ସବୁକିଛି ଠିକରେ ହେଲା। ଧନ୍ୟବାଦ।”

କୋହଲି କହିଛନ୍ତି, ଜୟ ମହାକାଳ … ଆପଣଙ୍କୁ ବହୁତ ଧନ୍ୟବାଦ।

ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଶୁକ୍ରବାର ଇନ୍ଦୋରରେ ୯ ୱିକେଟ୍‌ରେ ପରାସ୍ତ ହୋଇଥିଲା। କୋହଲି ଏହି ମ୍ୟାଚର ପ୍ରଥମ ଇନିଂସରେ ୨୨ ରନ୍ ଏବଂ ଦ୍ୱିତୀୟ ପାଳିରେ ୧୩ ରନ୍ ସଂଗ୍ରହ କରିଥିଲେ।

ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିର ହେଉଛି ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ |

Comments are closed.