ଭ୍ଲାଦିମିର୍ ପୁଟିନ୍: ଗୁପ୍ତଚରରୁ ବିଶ୍ବର ସବୁଠାରୁ କ୍ଷମତାଶାଳୀ ନେତା

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ପରେ ଏବେ ସବୁଠି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଚର୍ଚ୍ଚା । ପ୍ରାୟ ତିନି ଦଶନ୍ଧି ଧରି ପୁଟିନ ରୁଷରେ କ୍ଷମତାର ସର୍ବୋଚ୍ଚ ସ୍ଥାନରେ ରହିଆସିଛନ୍ତି। କିନ୍ତୁ ଏବେ ସେ ରୁଷ୍ ବାହାରେ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ପରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ରହିଛି ଏବଂ ପୁଟିନ ଏହାର କେନ୍ଦ୍ରରେ ଅଛନ୍ତି। ସମ୍ପ୍ରତି ବିଶ୍ବ ତାଙ୍କର ପ୍ରତିଟି ପଦକ୍ଷେପ ଉପରେ ନଜର ରଖିଛି | ତାଙ୍କର ପ୍ରାରମ୍ଭିକ ଜୀବନରେ ପୁଟିନ୍ ରୁଷର ଗୁପ୍ତଚର ସଂସ୍ଥା ‘କେଜିବି’ର ଜଣେ ଅଧିକାରୀ ଥିଲେ। ଜଣେ ଗୁପ୍ତଚରରୁ ଦୁନିଆର ସବୁଠାରୁ କ୍ଷମତାଶାଳୀ ନେତା ହେବାର ପୁଟିନଙ୍କ ଯାତ୍ରା ଉପରେ ଆସନ୍ତୁ ନଜର ପକେଇବା…

ଭ୍ଲାଦିମିର ପୁଟିନ୍ ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ | ୧୯୭୫ରେ ମାତ୍ର ୨୩ ବର୍ଷ ବୟସରେ ସେ ଗୁପ୍ତଚର ସଂସ୍ଥା କେଜିବିରେ ଯୋଗ ଦେଇଥିଲେ ଏବଂ ୧୯୯୦ ପର୍ଯ୍ୟନ୍ତ ଏହାର ଜଣେ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ସୋଭିଏତ୍ ସଂଘର ବିଲୋପ ପରେ ତାଙ୍କୁ ରୁଷର କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ। ଏହାପରେ କ୍ରମଶଃ ତାଙ୍କ କ୍ଷମତା ବୃଦ୍ଧି ପାଇବାରେ ଲାଗିଥିଲା | ୧୯୯୯ରେ ତତ୍କାଳୀନ ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ତାଙ୍କୁ ତାଙ୍କ ସରକାରରେ ଏକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ଏହା ପରେ ସେ ୨୦୦୦ରେ ରାଷ୍ଟ୍ରପତି ହୋଇଥିଲେ ଏବଂ ସେହି ଦିନଠାରୁ ସେ ଏହି ପଦରେ ରହିଆସିଛନ୍ତି।

ତୈଳ ଏବଂ ଗ୍ୟାସ୍ ପାଇଁ ୟୁରୋପର ସମସ୍ତ ଦେଶ ରୁଷ୍ ଉପରେ ନିର୍ଭରଶୀଳ | ଏହି କାରଣରୁ ୟୁରୋପରେ ପୁଟିନଙ୍କର ବେଶ୍ ପ୍ରଭାବ ରହିଛି। ରୁଷୀୟ କମ୍ପାନୀ ଗାଜପ୍ରୋମ୍ ୟୁରୋପୀୟ ସଂଘକୁ ଗ୍ୟାସ ଏବଂ ତୈଳ ଯୋଗାଣ କରୁଥିବା କମ୍ପାନୀ ଗୁଡିକ ମଧ୍ୟରେ ସର୍ବାଗ୍ରେ ରହିଛି । ରୁଷରେ ଜଣେ ବ୍ୟକ୍ତି କ୍ରମାଗତ ଦୁଇ ଥର ରାଷ୍ଟ୍ରପତି ହୋଇପାରିବେ | ଏହାକୁ କାଟିବା ପାଇଁ ସେ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡଭେଡେଭଙ୍କୁ କିଛି ସମୟ ପାଇଁ ରାଷ୍ଟ୍ରପତି କରିଥିଲେ ଏବଂ ପରେ ସେ ନିଜେ ଏହି ପଦବୀକୁ ଫେରିଥିଲେ। ୨୦୧୨ ରେ ପୁଟିନ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଦୁଇ ବର୍ଷ ପରେ ସେ ୟୁକ୍ରେନର କ୍ରିମିଆକୁ ରୁଷ ସହ ମିଶ୍ରଣ କରିଥିଲେ। ଏବେ ପ୍ରାୟ ୮ ବର୍ଷ ପରେ ସେ ପୁଣି ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୩ ଏବଂ ୨୦୧୬ରେ ପୁଟିନ୍ ଟାଇମ୍ ମାଗାଜିନ୍ ଦ୍ଵାରା ବିଶ୍ବର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ଭାବେ ମାନ୍ୟତା ପାଇଥିଲେ | ଏହାଛଡ଼ା ୨୦୧୭ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ସେ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିଥିବା ଅଭିଯୋଗକୁ ଉଭୟ ପୁଟିନ୍ ଏବଂ ଟ୍ରମ୍ପ ଅସ୍ୱୀକାର କରିଥିଲେ। ଅନ୍ୟପଟେ ପୁଟିନ ପୁଣି ୨୦୧୮ରେ ଚତୁର୍ଥ ଥର ପାଇଁ ରୁଷର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।

Comments are closed.