ଆଜି ତେଲେଙ୍ଗାନା ନିର୍ବାଚନ: ୧୧୯ ଆସନରେ ଚାଲିଛି ମତଦାନ 

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୧୧୯ ବିଧାନସଭା ଆସନରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୧୧୯ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩.୧୭ କୋଟି ଭୋଟର। ଡିସେମ୍ବର ୩ରେ ଆସିବ ଫଳାଫଳ । ଏଥର ରାଜ୍ୟରେ ଶାସକ ବିଆରଏସ୍, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି ।

ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକାଳ ୧୬ ଜାନୁଆରୀ ୨୦୨୪ ରେ ଶେଷ ହେବାକୁ ଯାଉଛି। ୨୦୧୮ରେ ହୋଇଥିବା ଗତ ବିଧାନସଭା ନିର୍ବାଚନରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ସରକାର ଗଠନ କରିଥିଲା। ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଟିଆରଏସ ନାଁ ବଦଳି ଏବେ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ହୋଇଛି |

୨୦୧୮ରେ ବିଆରଏସ୍ ୮୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୯ଟି ସିଟ୍ ପାଇଥିଲା। ବିଜେପି ଖାତାକୁ କେବଳ ଗୋଟିଏ ଆସନ ଆସିଥିଲା।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଚଳିତ ଥର ରାଜ୍ୟରେ ୩୫,୬୫୫ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୫୧୧ କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ସୁରକ୍ଷା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର ୧୦୦ ରୁ ଅଧିକ କମ୍ପାନୀ ମୁତୟନ କରାଯାଇଛି।

Comments are closed.