ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ରେ ମତଦାନ, ଡିସେମ୍ବର ୮ରେ ଫଳାଫଳ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶୁକ୍ରବାର ବିଜ୍ଞାନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ବିଗୁଲ ବଜାଇଛନ୍ତି । ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୧୨ରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ଫଳାଫଳ ଘୋଷଣା ହେବ | ନିର୍ବାଚନ କମିଶନ କେବଳ ହିମାଚଳ ପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇ ନାହିଁ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଅକ୍ଟୋବର ୧୭ରେ ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ। ଅକ୍ଟୋବର ୨୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୨୭ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୨୯ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ | ୧୨ ନଭେମ୍ବରରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ୮ ଡିସେମ୍ବରରେ ଫଳାଫଳ ଘୋଷଣା କରାଯିବ |

ନିର୍ବାଚନ ଆୟୋଗ କହିଛନ୍ତି ଯେ ଅକ୍ଟୋବର ହେଉଛି ପାର୍ବଣ ମାସ ଏବଂ ଏଥିରେ ‘ଗଣତନ୍ତ୍ରର ପର୍ବ’ ମଧ୍ୟ ଯୋଡାଯିବ। ସେ କହିଛନ୍ତି ଯେ ଗତ କିଛି ମାସ ହେବ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। କରୋନା ମହାମାରୀକୁ ମଧ୍ୟ ଧ୍ୟାନରେ ରଖି ପ୍ରସ୍ତୁତି କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଜାନୁୟାରୀ ୮, ୨୦୨୩ରେ ଶେଷ ହେବ। ରାଜ୍ୟରେ ମୋଟ ୫୫ ଲକ୍ଷ ଭୋଟର ଅଛନ୍ତି। ଏଥିମଧ୍ୟରୁ ୧୫ ଲକ୍ଷ ଭୋଟର ବାଲଟ୍ ଜରିଆରେ ଭୋଟ୍ ଦେବେ। ୧.୬ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ମତଦାନ କରିବେ ।

୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ୪୪ ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା । କଂଗ୍ରେସ ୨୧ଟି ଆସନ ପାଇଥିଲା ବେଳେ ଅନ୍ୟ ଦଳଙ୍କ ଖାତାକୁ ୩ଟି ସିଟ୍ ଯାଇଥିଲା ।

Comments are closed.