ଭିଭିଏସ୍ ଲକ୍ଷ୍ମଣ ହେବେ ଏନସିଏ ମୁଖ୍ୟ, ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହେବା ପରେ ଭିଭିଏସ୍ ଲକ୍ଷ୍ମଣ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ଭାରତୀୟ କ୍ରିକେଟର ଉନ୍ନତି ପାଇଁ ପୂର୍ବତନ ଖେଳାଳିମାନେ ସିଷ୍ଟମକୁ ଆସିବା ଉଚିତ୍ ବୋଲି ଗାଙ୍ଗୁଲି ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି ।

କେବଳ ଗାଙ୍ଗୁଲି ନୁହେଁ ବୋର୍ଡ ସଚିବ ଜୟ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚାହୁଁଥିଲେ ଯେ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତୁ।

ଏହାପୂର୍ବରୁ ବିସିସିଆଇର ଜଣେ ଅଧିକାରୀ କହିଥିଲେ ଯେ, ରାହୁଲ ଦ୍ରାବିଡଙ୍କ ସହ ଲକ୍ଷ୍ମଣଙ୍କର ଭଲ ସମ୍ପର୍କ ଅଛି ବୋଲି ଆମେ ଭୁଲିଯିବା ଉଚିତ ନୁହେଁ। ଭାରତୀୟ କ୍ରିକେଟ୍ କୁ ଆଗେଇ ନେବା ପାଇଁ ଦ୍ରାବିଡ-ଲକ୍ଷ୍ମଣଙ୍କ ଯୋଡ଼ି କାମ ଦେବ ବୋଲି ସେ କହିଥିଲେ | ଉଲ୍ଲେଖଯୋଗ୍ୟ ଯେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ | ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କରିଥିବା କାର୍ଯ୍ୟକୁ ସେ କିପରି ଆଗକୁ ବଢାଇବାକୁ ଚାହୁଁଛନ୍ତି ସେନେଇ ଦ୍ରାବିଡ କୋଚ୍ ହେବା ପରେ ତାଙ୍କ ରୋଡମ୍ୟାପ ବିଷୟରେ ଉଲ୍ଲେଖ କରିଛନ୍ତି ।

ଦ୍ରାବିଡ କହିଛନ୍ତି, “ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହେବା ମୋ ପାଇଁ ଗୌରବର ବିଷୟ ଏବଂ ମୁଁ ଏହି ଭୂମିକାକୁ ନେଇ ଉତ୍ସାହିତ ଅଛି। ଶାସ୍ତ୍ରୀଙ୍କ ନେତୃତ୍ୱରେ ଦଳ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ମୁଁ ଏହାକୁ ଆଗକୁ ନେବା ପାଇଁ ଦଳ ସହିତ କାମ କରିବାକୁ ଆଗ୍ରହୀ | ଏନସିଏ, ଅଣ୍ଡର-୧୯ ଏବଂ ଭାରତ-ଏ’ ର ଅଧିକାଂଶ ଯୁବ ଖେଳାଳିଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି ମୁଁ ଜାଣେ ଯେ ସେମାନଙ୍କର ଉନ୍ନତି କରିବାକୁ ଆଗ୍ରହ ଏବଂ ଇଚ୍ଛା ଅଛି | ଆସନ୍ତା ଦୁଇ ବର୍ଷରେ କିଛି ବଡ ଇଭେଣ୍ଟ ରହିଛି । ଏବଂ ମୁଁ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସହ କାମ କରିବାକୁ ବ୍ୟଗ୍ର ବୋଲି ସେ କହିଛନ୍ତି।

Comments are closed.