ଅନ୍ତର୍ଜାତୀୟ କ୍ରିକେଟରୁ ୱାହାବ ରିଆଜଙ୍କ ଅବସର

କରାଚି: ଫ୍ରାଞ୍ଚାଇଜ୍ ଟି-୨୦ ଲିଗ୍ ଖେଳିବା ପାଇଁ ପାକିସ୍ତାନର ଦ୍ରୁତ ବୋଲର ୱାହାବ ରିଆଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

୩୮ ବର୍ଷୀୟ ଏହି ବାମହାତୀ ଦ୍ରୁତ ବୋଲର ୨୦୦୮ ରୁ ୨୦୨୦ ମଧ୍ୟରେ ୨୭ଟି ଟେଷ୍ଟ, ୯୧ଟି ଦିନିକିଆ ଏବଂ ୩୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଏକ ଚମତ୍କାର ଯାତ୍ରା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ, ମୋ ପରିବାର, କୋଚ୍, ମେଣ୍ଟର, ସାଥୀ ଖେଳାଳି, ପ୍ରଶଂସକ ଏବଂ ସମସ୍ତଙ୍କୁ ଧନ୍ୟବାଦ | ଫ୍ରାଞ୍ଚାଇଜ୍ କ୍ରିକେଟ୍ ଦୁନିଆରେ ଏହା ରୋମାଞ୍ଚକର ସମୟ ହେବ |

ସେ ଲେଖିଛନ୍ତି, “ଏହି ଇନିଂସ ଶେଷ ହେବା ପରେ ମୁଁ ଫ୍ରାଞ୍ଚାଇଜ୍ କ୍ରିକେଟ୍ ର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଖେଳିବା ବେଳେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସକ୍ଷମ ହେବି ବୋଲି ମୋର ଆଶା |

ରିଆଜ ପାକିସ୍ତାନ ଇତିହାସରେ ନବମ ବୋଲର ଯିଏକି ଡେବ୍ୟୁରେ ପାଞ୍ଚ ୱିକେଟ୍ ନେଇଛନ୍ତି। ସେ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ।

ଏହାଛଡ଼ା ସେ ବିଶ୍ୱକପ ୨୦୧୧ର ସେମିଫାଇନାଲରେ ଭାରତ ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇଥିଲେ ମଧ୍ୟ ତାଙ୍କ ଦଳକୁ ଜିତାଇ ପାରିନଥିଲେ ।

Comments are closed.