କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରୁ ୱାଙ୍ଖେଡେ ହଟିଲେ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସହ ଜଡିତ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ହଟାଇ ଦିଆଯାଇଛି। ଏନସିବି ଡିଡିଜି ମୁଥା ଅଶୋକ ଜୈନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆର୍ୟନ ଖାନ କେସ୍ ସମେତ ଅନ୍ୟ ମାମଲା ଏନସିବିର କେନ୍ଦ୍ରୀୟ ଦଳକୁ ହସ୍ତାନ୍ତର କରାଯାଇଛି। ଏଥିରେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କ ଜ୍ବାଇଁ ସମୀର ଖାନ, ଟିଭି ଅଭିନେତା ଅରମାନ କୋହଲି, ଇକବାଲ କାସକର, କାଶ୍ମୀର ଡ୍ରଗ୍ସ ମାମଲା ରହିଛି। ସମୀର ୱାଙ୍ଖେଡେ ମୁମ୍ବାଇରେ ରହି ଦିଲ୍ଲୀ ମୁଖ୍ୟାଳୟକୁ ରିପୋର୍ଟ କରିବେ। ଏଣିକି ଯେକୌଣସି ନୂଆ ମାମଲାରେ ୱାଙ୍ଖେଡେ ଦିଲ୍ଲୀ ମୁଖ୍ୟାଳୟକୁ ପଚାରି କାର୍ଯ୍ୟ କରିବେ। ତେବେ ୱାଙ୍ଖେଡେ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ପଦରେ ବଜାୟ ରହିବେ ବୋଲି ଜୈନ କହିଛନ୍ତି।

ସମୀର ୱାଙ୍ଖେଡେଙ୍କୁ ଏହି ମାମଲାରୁ ହଟାଇବା ପରେ ମହାରାଷ୍ଟ୍ର ସରକାରଙ୍କ ଏନସିପି ନେତା ତଥା ମନ୍ତ୍ରୀ ନଓ୍ବାବ ମଲିକ କହିଛନ୍ତି ଯେ ଏହା କେବଳ ଆରମ୍ଭ ମାତ୍ର । ସିଷ୍ଟମ୍ ସଫା କରିବା ପାଇଁ ତଥାପି ବହୁତ କିଛି କରିବାକୁ ବାକି ଅଛି | ୨୬ଟି ମାମଲାର ତଦନ୍ତ ହେବା ଉଚିତ୍ |

ଅକ୍ଟୋବର ୩ରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରି ଆର୍ୟନ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧମେଚାଙ୍କ ସହ ଏନସିବି ଅନେକଙ୍କୁ ଗିରଫ କରିଥିଲା। ଅକ୍ଟୋବର ୮ ତାରିଖରୁ ଆର୍ୟନ ଆର୍ଥର ରୋଡ ଜେଲରେ ରହିଥିଲେ। ଅକ୍ଟୋବର ୨୮ରେ ବମ୍ବେ ହାଇକୋର୍ଟ ଆର୍ୟନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ଆର୍ଯ୍ୟନ୍ ଖାନ ମାମଲାର ତଦନ୍ତ ଆରମ୍ଭ ହେବା ପରେ ଏହି ମାମଲାର ସାକ୍ଷୀ ପ୍ରଭାକର ସାଇଲଙ୍କ ସହ ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସାଇଲ୍ କହିଥିଲେ ଯେ ଏହି ମାମଲାରେ ଓ୍ବାଙ୍ଖେଡେ ଏବଂ କିରଣ ଗୋସାଭି ମିଳିତ ଭାବେ କୋଟି କୋଟି ଟଙ୍କା ଆଦାୟ କରିବା ପାଇଁ ଯୋଜନା କରିଥିଲେ। ନଓ୍ବାବ ମଲିକ ମଧ୍ୟ ଓ୍ବାଙ୍ଖେଡେ ଟଙ୍କା ଆଦାୟ କରିବା ପାଇଁ ଜାଣିଶୁଣି ବଲିଉଡକୁ ଟାର୍ଗେଟ କରୁଥିବା ଅଭିଯୋଗ କରିଥିଲେ। ତେବେ ଓ୍ବାଙ୍ଖେଡେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ । ଲାଞ୍ଚ କାରବାର ଅଭିଯୋଗ ପରେ ଏନସିବି ଓ୍ବାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା ।

Comments are closed.