ଦିନିକିଆ କ୍ରିକେଟରୁ ଓ୍ବାର୍ଣ୍ଣରଙ୍କ ଅବସର

ସିଡନୀ: ନୂଆ ବର୍ଷର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍ ୱାର୍ଣ୍ଣର ଏକ‌ ସରପ୍ରାଇଜ୍ ଘୋଷଣା କରି ପ୍ରଶଂସକ ମାନଙ୍କୁ ଚକିତ କରିଛନ୍ତିି । ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବାର୍ଣ୍ଣର । ଏହି ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ୍ ସମ୍ମାନଜନକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି) ରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ବିଦାୟୀ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି।

୩୭ ବର୍ଷୀୟ ୱାର୍ଣ୍ଣର ବିଶ୍ୱକପ ୨୦୨୩ ପରେ ୫୦ ଓଭର ଫର୍ମାଟରୁ ଅବସର ନେବେ ବୋଲି ସଙ୍କେତ ଦେଇଥିଲେ। ୱାର୍ଣ୍ଣର କହିଛନ୍ତି ଯେ ପତ୍ନୀ କ୍ୟାଣ୍ଡିସ୍ ଏବଂ ତିନି ଝିଅ – ଆଇଭି, ଇସଲା ଏବଂ ଇଣ୍ଡିଙ୍କୁ ଏବେ ଅଧିକ ସମୟ ଦେବାକୁ ପଡିବ। ତେଣୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ୱାର୍ଣ୍ଣର କହିଛନ୍ତି ଯେ ଯଦି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଅଷ୍ଟ୍ରେଲିଆକୁ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଆବଶ୍ୟକ ହୁଏ, ତେବେ ସେ ଅବସରରୁ ଫେରିବାକୁ ଚିନ୍ତା କରିବେ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିନିକିଆରୁ ନିଜ ଅବସର ଘୋଷଣା କରି ୱାର୍ଣ୍ଣର କହିଛନ୍ତି, ନଭେମ୍ବରରେ ଭାରତ ବିପକ୍ଷ ବିଶ୍ୱକପ ଫାଇନାଲ ୫୦ ଓଭର ଫର୍ମାଟରେ ତାଙ୍କର ଶେଷ ମ୍ୟାଚ୍ ଥିଲା । ମୁଁ ନିଶ୍ଚିତ ଭାବେ ଦିନିକିଆ କ୍ରିକେଟରୁ ଅବସର ନେଉଛି। ଭାରତରେ ବିଶ୍ୱକପ୍ ବେଳେ ମୁଁ ଏହା କହିଥିଲି | ଏହା (ବିଶ୍ବକପ୍ ବିଜୟ)ବାସ୍ତବରେ ଏକ ବଡ଼ ସଫଳତା | ମୁଁ ଜାଣେ ଚାମ୍ପିଅନ୍ସ ଟ୍ରଫି ଆସୁଛି । ଯଦି ମୁଁ ଦୁଇ ବର୍ଷ ପରେ ମଧ୍ୟ ଭଲ କ୍ରିକେଟ୍ ଖେଳୁଥାଏ ଏବଂ ସେମାନଙ୍କୁ (ଅଷ୍ଟ୍ରେଲିଆ) ଆବଶ୍ୟକ ପଡ଼େ, ତେବେ ମୁଁ ଉପଲବ୍ଧ ହେବି।

ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତି ୱାର୍ଣ୍ଣରଙ୍କ ନାଁରେ ଦୁଇଟି ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଅଛି। ବିଶ୍ବକପ୍ ୨୦୨୩ରେ ଓ୍ବାର୍ଣ୍ଣର ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ।

ବିଶ୍ୱକପ୍‌ ୨୦୨୩ରେ ୱାର୍ଣ୍ଣର ୧୧ଟି ମ୍ୟାଚରେ ଦୁଇଟି ଶତକ ଓ ସମାନ ସଂଖ୍ୟକ ହାରାହାରି ୪୮.୬୩ ସହ ୫୩୫ ରନ୍ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର୍ ଥିଲା ୧୬୩ ରନ୍, ଯାହା ସେ ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷରେ କରିଥିଲେ।

ୱାର୍ଣ୍ଣର ମୋଟ ୧୬୧ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ହାରାହାରି ୪୫.୩୦ ଏବଂ ୯୭.୨୬ ଷ୍ଟ୍ରାଇକ୍ ହାର ସହ ୬୯୩୨ ରନ୍ କରିଛନ୍ତିି | ଏଥିରେ ୨୨ ଶତକ ଏବଂ ୩୩ ଅର୍ଦ୍ଧଶତକ ରହିଛି | ୱାର୍ଣ୍ଣର ଜାନୁଆରୀ ୨୦୦୯ରେ ହୋବର୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ରିକି ପଣ୍ଟିଂ, ଆଡାମ ଗିଲଖ୍ରୀଷ୍ଟ, ମାର୍କ ୱଗ୍, ମାଇକେଲ କ୍ଲାର୍କ ଏବଂ ଷ୍ଟିଭ ଓ୍ବଗଙ୍କ ପରେ ଓ୍ବାର୍ଣ୍ଣର ହେଉଛନ୍ତି ଅଷ୍ଟ୍ରେଲିଆର ଷଷ୍ଠ ସର୍ବାଧିକ ରନ୍ ସ୍କୋରର୍।

ଟେଷ୍ଟ ଫର୍ମାଟରେ ୱାର୍ଣ୍ଣର ଏପର୍ଯ୍ୟନ୍ତ ୧୧୧ଟି ମ୍ୟାଚ୍ ଖେଳିଛନ୍ତି । ସେ ଏହି ଫର୍ମାଟରେ ହାରାହାରି ୪୪.୫୮ରେ ୨୬ ଶତକ ଓ ୩୬ ଅର୍ଦ୍ଧଶତକ ସହ ୮୬୯୫ ରନ୍ କରିଛନ୍ତି।

ଓ୍ବାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ଟି-୨୦ କ୍ରିକେଟ୍ ଖେଳିବା ପାଇଁ ଉପଲବ୍ଧ ହେବେ । ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ସେ ଖେଳିବାକୁ ସୁଯୋଗ ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

Comments are closed.