ମମତା ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ରାଜ୍ୟପାଳ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ବବିଦ୍ୟାଳୟ ଗୁଡ଼ିକର କୁଳାଧିପତି

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ବିବାଦ କାହାକୁ ଅଛପା ନାହିଁ। ଉଭୟଙ୍କ ମଧ୍ୟରେ ପ୍ରାୟ ସବୁବେଳେ କୌଣସି ନା କୌଣସି ବିବାଦ ଦେଖାଦେଇଥାଏ | ଏବେ ମମତା ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ପୁଣି ଥରେ ବିବାଦ ସୃଷ୍ଟି କରିପାରେ | ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ରାଜ୍ୟପାଳ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ହେବେ କୁଳାଧିପତି ।

ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ କହିଛନ୍ତି ଯେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ସରକାର ଏ ବାବଦରେ ରାଜ୍ୟ ବିଧାନସଭାରେ ଏକ ବିଲ୍ ଆଣିବେ ଏବଂ ଏହା ପାରିତ ହେବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ରାଜ୍ୟପାଳ ବଦଳରେ ମୁଖ୍ୟମନ୍ତ୍ରୀ କୁଳାଧିପତି ହେବେ।

ଦୀର୍ଘ ଦିନ ଧରି ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ମମତା ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରାଜ୍ୟପାଳ ଜଗଦୀପ ଧନଖର ସରକାରଙ୍କ ସହମତି ବିନା ଅନେକ କୁଳପତି ନିଯୁକ୍ତ କରିଥିବା ମମତ ସରକାର ଅଭିଯୋଗ କରିଥିଲେ।

Comments are closed.