ପଶ୍ଚିମବଙ୍ଗର ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

କୋଲକାତା: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଗୁରୁବାର ସନ୍ଧ୍ୟାରେ କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ରାଜ୍ୟର ପଞ୍ଚାୟତ ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏସ୍‌କେଏମ୍‌ ହସ୍ପିଟାଲ ଯାଇ ଗୁରୁବାର ବିଳମ୍ବିତ ରାତିରେ ଏହି ବରିଷ୍ଠ ନେତାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲେ।

ମମତା କହିଛନ୍ତି, “ସୁବ୍ରତ ମୁଖାର୍ଜୀ ଆଉ ଆମ ଗହଣରେ ନାହାଁନ୍ତି ବୋଲି ବିଶ୍ଵାସ ହେଉନାହିଁ । ସେ ଦଳର ଜଣେ ଉତ୍ସର୍ଗୀକୃତ ନେତା ଥିଲେ। ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି। ” ବାନାର୍ଜୀ କହିଛନ୍ତି ଯେ ମୁଖାର୍ଜୀଙ୍କ ମୃତଦେହ ସରକାରୀ ଅଡିଟୋରିୟମ ରବୀନ୍ଦ୍ର ସଦନକୁ ନିଆଯିବ ଯେଉଁଠାରେ ଲୋକମାନେ ଶୁକ୍ରବାର ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ସେ କହିଛନ୍ତି ଯେ ଏହା ପରେ ମୃତଦେହକୁ ବାଲିଗଞ୍ଜ ଏବଂ ପରେ ତାଙ୍କ ପୈତୃକ ବାସଭବନକୁ ନିଆଯିବ। ସୂତ୍ରରୁ ପ୍ରକାଶ ଯେ ଶ୍ୱାସ ଜନିତ ସମସ୍ୟାରେ ପୀଡିତ ହେବା ପରେ ମୁଖାର୍ଜୀଙ୍କୁ ଅକ୍ଟୋବର ୨୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବହୁ ଚର୍ଚ୍ଚିତ ନାରଦ ଷ୍ଟିଙ୍ଗ୍ ଟେପ୍ ମାମଲାରେ ସୁବ୍ରତ ମୁଖାର୍ଜୀ ଗିରଫ ହୋଇଥିଲେ ‌। ପରେ ସେ ଜାମିନରେ ମୁକୁଳିଥିଲେ।

Comments are closed.