ଭାରତରେ ସେବା ବନ୍ଦ କରିବାକୁ ହ୍ବାଟସଆପର ଚେତାବନୀ

ନୂଆଦିଲ୍ଲୀ: ଭାରତରେ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ବାଟସଆପ୍। ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନର ଶୁଣାଣି ବେଳେ ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ନୂଆ ଆଇଟି ନିୟମ ଅଧୀନରେ ଆମକୁ ମେସେଜ୍ ଗୁଡ଼ିକର ଏନକ୍ରିପସନ୍ କୋହଳ କରିବାକୁ ବାଧ୍ୟ କରାଯାଏ, ତେବେ ଆମେ ଭାରତରେ ସେବା ବନ୍ଦ କରିବୁ। ଏନକ୍ରିପସନ୍ କୋହଳ ହେଲେ ଏହାର ଗ୍ରାହକଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ହ୍ବାଟସଆପ ପକ୍ଷରୁ ଯୁକ୍ତି କରାଯାଇଛି।

ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ନୀତି ‌ଦ୍ବାରା ହ୍ବାଟସଆପ୍ ଏହାର ୟୁଜର ତଥା ଗ୍ରାହକଙ୍କ ଗୋପନୀୟତାର ସୁରକ୍ଷା ସୁନିଶ୍ଚିତ କରୁଛି। ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଏଭଳି ଏକ ପଦ୍ଧତି ଯାହା ଦ୍ବାରା ମେସେଜରେ ଥିବା ବିଷୟବସ୍ତୁ କେବଳ ପ୍ରେରକ ଓ ପ୍ରାପ୍ତକ ମଧ୍ୟରେ ହିଁ ଗୋପନୀୟ ରହିବ। ତୃତୀୟ ପକ୍ଷ ଏହା ପଢ଼ି ପାରିବ ନାହିଁ।

ହ୍ବାଟସଆପ୍ ପକ୍ଷରୁ କୋର୍ଟରେ ଯୁକ୍ତି କରାଯାଇଛି ଯେ ଗୋପନୀୟତା ରକ୍ଷା ପାଇଁ ଲୋକମାନେ ଏହି ମେସେଜିଂ ପ୍ଲାଟଫର୍ମ ବ୍ୟବହାର କରନ୍ତି। କାରଣ ଏହି ପ୍ଲାଟଫର୍ମରେ ପଠାଯାଉଥିବା ମେସେଜ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥାଏ । ମେସେଜ୍ ଗୁଡ଼ିକର ଗୋପନୀୟତା ରକ୍ଷା ହୁଏ | ଯଦି ଆଇଟି ନିୟମର ଦ୍ୱାହି ଦେଇ ଆମକୁ ଏହି ଏନକ୍ରିପସନ୍ ବ୍ୟବସ୍ଥା କୋହଳ କରିବାକୁ କୁହାଯାଏ, ତେବେ ଭାରତରେ ଆମେ ସେବା ଜାରି ରଖିପାରିବୁ ନାହିଁ । ଆଇଟି ନିୟମ ୟୁଜରଙ୍କ ଗୋପନୀୟତା ବିରୁଦ୍ଧ ।

ଆଇଟି ନିୟମ ସପକ୍ଷରେ ଯୁକ୍ତି ରଖି କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ ହ୍ବାଟସଆପ୍ ଏବଂ ଫେସବୁକ୍ ଏହାର ଗ୍ରାହକଙ୍କ ସମସ୍ତ ତଥ୍ୟକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥାଏ। ଅତଏବ ଆଇନଗତ ଭାବେ ସେମାନେ ନିଜ ଗ୍ରାହକଙ୍କ ଗୋପନୀୟତା ରକ୍ଷା କରନ୍ତି ବୋଲି କହିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ, ହ୍ବାଟସଆପ୍ ଓ ଏହାର ମୂଳ କମ୍ପାନୀ ମେଟା ତରଫରୁ ଆଇଟି ନିୟମ, ୨୦୨୧କୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ନିୟମ ଅନୁସାରେ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକୁ କୌଣସି ପୋଷ୍ଟ କିମ୍ବା ମେସେଜର ଉତ୍ସ ପ୍ରକାଶ କରିବା ବାଧ୍ୟତାମୂଳକ। ତେବେ ଏହି ନିୟମକୁ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକ ବିରୋଧ କରୁଛନ୍ତି। ଏହା ଗ୍ରାହକଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି।

ଅଗଷ୍ଟ ୧୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

Comments are closed.