‘ଅଗ୍ନିପଥ’ ଯୋଜନା ବିରୋଧରେ ତେଜିଲା ଆନ୍ଦୋଳନ, ବିହାରରେ ରେଳ ରୋକ, ପୋଡ଼ାଜଳା

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ ତେଜିବାରେ ଲାଗିଛି। ଯୁବଗୋଷ୍ଠୀ ଏହି ନୂଆ ଯୋଜନାକୁ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ବିଶେଷକରି ବିହାର ଓ ରାଜସ୍ଥାନରେ ‘ଅଗ୍ନିପଥ ଯୋଜନା’ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଅସନ୍ତୁଷ୍ଟ ଯୁବକ | ଆଜି ଛାତ୍ରମାନେ ବିହାରର ଜେହାନାବାଦ, ବକ୍ସାରରେ ଆନ୍ଦୋଳନ କରିଛନ୍ତି | ସେଠାରେ ବହୁ ଯୁବକ ରାସ୍ତା ଅବରୋଧ କରି ପୋଡ଼ାଜଳା କରିଛନ୍ତି । ଜେହାନାବାଦରେ ଏନ୍ଏଚ୍-୮୩ ଏବଂ ଏନ୍ଏଚ୍-୧୧୦ ରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

ସେନା ବାହିନୀରେ ନିଯୁକ୍ତି ପ୍ରକ୍ରିୟାରେ ଆମୂଳଚୁଳ ପରିବର୍ତ୍ତନ ଲାଗି ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନା ବିରୋଧରେ ଅରହରରେ ବି ଛାତ୍ରଛାତ୍ରୀଙ୍କ ତୀବ୍ର ପ୍ରଦର୍ଶନ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି। ଛାତ୍ରମାନେ ଅଗ୍ନିପଥ ଯୋଜନା ବିରୋଧରେ ଅରାହରରେ ରେଳ ଧାରଣା ଅବରୋଧ କରିଛନ୍ତି।

ଏହାପୂର୍ବରୁ ବକ୍ସର, ମୁଜାଫରପୁର, ଗୟାଠାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସେନାରେ ଚାରି ବର୍ଷ ପାଇଁ ଏହି ନିଯୁକ୍ତି ଯୋଜନା ଦ୍ବାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ଯୁବକମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁଁ ବିହାରର ବକ୍ସର ଜିଲ୍ଲାରେ ରେଳ ଚଳାଚଳ ଏବଂ ସଡକ ଚଳାଚଳ ବ୍ୟାହତ ହୋଇଛି।

ସେନାରେ ଏଣିକି ସବୁ ନିଯୁକ୍ତି ଅଗ୍ନିପଥ ଯୋଜନା ଅଧୀନରେ କରାଯିବ। ଯେଉଁ ଯୁବକମାନେ ଆଗରୁ ପରୀକ୍ଷା ଦେଇଥିଲେ, ସେମାନଙ୍କୁ ଅଗ୍ନିପଥ ଯୋଜନା ଅଧୀନରେ ପୁଣି ଆବେଦନ କରିବାକୁ ପଡିବ | ତେବେ ଦୁଇ ବର୍ଷ ଧରି ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଯୁବକମାନଙ୍କ ପାଇଁ ଏହା ସବୁଠାରୁ ବଡ ଝଟକା ବୋଲି ବିବେଚିତ କରାଯାଉଛି | ଏହି ନୂଆ ଯୋଜନା ଦ୍ବାରା ସେହି ଯୁବକମାନେ ମଧ୍ୟ ନିରାଶ ହେବେ ଯେଉଁମାନେ ସେନାରେ ନିଯୁକ୍ତି ପାଇଁ ମେଡିକାଲ ଏବଂ ଫିଜିକାଲ୍ କ୍ଲିୟର କରିଥିଲେ।

ଏହି ଯୋଜନା ଅଧୀନରେ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି ମିଳିବ | ଏହାପରେ ୭୫% ସୈନିକଙ୍କୁ ସେବା ନିବୃତ କରାଯିବ । ଏହି ଯୋଜନାରେ ପେନସନ୍ ସୁବିଧା ମଳିବ ନାହିଁ ।

Comments are closed.