ମୁଲାୟମ ସିଂ ଯାଦବଙ୍କ ପତ୍ନୀ ବିୟୋଗ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଯାଦବଙ୍କ ଶନିବାର ପରଲୋକ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ଥିଲେ ଏବଂ କିଛି ଦିନ ଧରି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସାଧନା ଗୁପ୍ତା ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ଶାଶୁ ଏବଂ ପ୍ରତୀକ ଯାଦବଙ୍କ ମା’ । ସାଧନା ମୁଲାୟମଙ୍କ ଦ୍ବିତୀୟ ପତ୍ନୀ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୦୩ରେ ମୁଲାୟମ ସିଂଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମାଆ ମାଳତୀ ଦେବୀଙ୍କର ଦେହାନ୍ତ ହୋଇଥିଲା। ଏହାପରେ ମୁଲାୟମ ନିଜଠାରୁ ୨୦ ବର୍ଷ ସାନ ସାଧନାଙ୍କୁ ଦ୍ୱିତୀୟ ପତ୍ନୀ ମାନ୍ୟତା ଦେଇଥିଲେ।

ସାଧନା ଗୁପ୍ତା ଉତ୍ତରପ୍ରଦେଶର ଇଟାୱାର ବିଧୁନା ତହସିଲର ବାସିନ୍ଦା ଥିଲେ। ସେ ୪ ଜୁଲାଇ ୧୯୮୬ରେ ଫାରୁଖାବାଦର ଚନ୍ଦ୍ରପ୍ରକାଶ ଗୁପ୍ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହରୁ ପ୍ରତୀକ ଯାଦବ ୭ ଜୁଲାଇ ୧୯୮୭ରେ ଜନ୍ମଗ୍ରହଣ କରିଥିଲେ। ତେବେ ସାଧନା ଏବଂ ଚନ୍ଦ୍ରପ୍ରକାଶ ଦୁଇ ବର୍ଷ ପରେ ଅଲଗା ହୋଇଥିଲେ। ଏହା ପରେ ସାଧନା ଗୁପ୍ତା ତତ୍କାଳୀନ ଏସପି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।

କୁହାଯାଉଛି ଯେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ମୁଲାୟମ ସିଂ ଯାଦବଙ୍କ ଅସୁସ୍ଥ ମାତା ମୁର୍ତ୍ତୀ ଦେବୀଙ୍କ ସାଧନା ଗୁପ୍ତା ଖୁବ୍ ଯତ୍ନ ନେଇଥିଲେ । ସେତେବେଳେ ସାଧନା ନର୍ସିଂ ଟ୍ରେନିଂ ନେଉଥିଲେ । ସେହି ଦିନଠାରୁ ମୁଲାୟମ ଏବଂ ସାଧନା ପରସ୍ପରର ନିକଟତର ହୋଇଥିଲେ।

Comments are closed.