ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି। ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଗୃହରେ ବିଲ୍ ଆଗତ କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିବେ।

ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ସହିତ ସଂସଦର ଶୀତକାଳୀନ ଅଧିବେଶନ ସୋମବାର ନଭେମ୍ବର ୨୯ରେ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଥମ ଥର ପାଇଁ ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧ କୁ ଉପସ୍ଥାପନ କରିବେ। ଯଦିଓ ସରକାର ତିନୋଟି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ କୃଷକଙ୍କ ଦାବିକୁ ନେଇ ଅଧିବେଶନରେ ହଙ୍ଗାମା ହେବ ବୋଲି ଆଶା କରାଯାଉଛି। ବିରୋଧୀ ଦଳ ଚାଷୀଙ୍କ ଦାବିକୁ ସମର୍ଥନ କରିସାରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଛନ୍ତି ।

ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ଆଜି ଗୃହରେ ଉପସ୍ଥିତ ରହିବାକୁ ସେମାନଙ୍କ ସାଂସଦମାନଙ୍କୁ ହ୍ବିପ୍ ଜାରି କରିଛନ୍ତି। ଏହି ସମୟରେ ସଂସଦ ଅଧିବେଶନ ପୂର୍ବରୁ ୩୧ଟି ଦଳର ୪୨ ଜଣ ସାଂସଦ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଭାରେ ଯୋଗ ଦେଇନାହାଁନ୍ତି। ଏହି ମାସର ଅଧିବେଶନରେ ସଂସଦରେ ଉପସ୍ଥାପନା ପାଇଁ ୨୬ଟି ବିଲ୍ ତାଲିକାଭୁକ୍ତ ହେବ | ସଂସଦର ଶୀତ ଅଧିବେଶନ ନଭେମ୍ବର ୨୯ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ |
ସୋମବାର ଲୋକସଭାରେ କେନ୍ଦ୍ର କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିବ। ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହେବାର ସମ୍ଭାବନା ରହିଛି ଏବଂ ସେହି ଦିନ ରାଜ୍ୟସଭାରେ ଏହା ଆଗତ ହୋଇପାରେ। ଇତି ମଧ୍ୟରେ କଂଗ୍ରେସ ଏମଏସପି ଉପରେ ଏକ ଆଇନ ଆଣିବା ଏବଂ ତିନିଟି କୃଷି ଆଇନ ବିରୋଧରେ ବର୍ଷ ବର୍ଷ ଧରି ଚାଲିଥିବା ବିକ୍ଷୋଭରେ ନିହତ କୃଷକମାନଙ୍କ ପାଇଁ ସମବେଦନା ଦାବି କରିଛି।

Comments are closed.