ଉତ୍ତର ଆମେରିକାରେ ଶୀତଦିନିଆ ଝଡ଼ର ତାଣ୍ଡବ, ୩୩ ମୃତ

ନ୍ୟୁୟର୍କ: ଉତ୍ତର ଆମେରିକାରେ ତାଣ୍ଡବ ରଚିଛି ଶୀତଦିନିଆ ଝଡ଼ । ଅସହ୍ୟ କାଲୁଆ ପବନ ସହ ବରଫ ବୃଷ୍ଟି ଯୋଗୁଁ ଜୀବନଯାତ୍ରା ଠପ୍ ହୋଇପଡ଼ିଛି । ଏହି ଝଡ଼ ଯୋଗୁଁ ଆମେରିକାରେ ଏଯାବତ୍ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ନ୍ୟୁୟର୍କ ରାଜ୍ୟର ବଫାଲୋ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ସେପଟେ କାନାଡାର ମେରିଟ ସହରରେ ବରଫ ଆଚ୍ଛାଦିତ ରାସ୍ତାରେ ଏକ ବସ୍ ସ୍ଲିପ୍ ହୋଇ ଓଲଟି ପଡିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ଗତ କିଛି ଦିନ ହେବ ଉତ୍ତର ଆମେରିକାରେ ଏହି ଝଡ଼ର ପ୍ରକୋପ ଦେଖିବାକୁ ମିଳିଛି । ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ଯୋଗୁଁ ପ୍ରାୟ ୧୭ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ।

ଶୀତଦିନିଆ ଝଡ଼ ଯୋଗୁଁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏହି କାରଣରୁ ଖ୍ରୀଷ୍ଟମାସ ପାଇଁ ଅନେକ ଲୋକ ନିଜ ପରିବାର ପାଖରେ ପହଞ୍ଚି ପାରି ନାହାଁନ୍ତି |

ଝଡ଼ର ପ୍ରଭାବ ଉତ୍ତର ଆମେରିକାରେ କାନାଡା ଠାରୁ ଆମେରିକାର ଦକ୍ଷିଣ ଟେକ୍ସାସ୍ ପ୍ରଦେଶ ପର୍ଯ୍ୟନ୍ତ ରହିଛି ।

ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥୀ ହୋଚୁଲ ଏହାକୁ ବଫାଲୋ ସହରର ଇତିହାସରେ ସବୁଠାରୁ ଭୟଙ୍କର ଝଡ଼ ବୋଲି ଅଭିହିତ କରିଛନ୍ତି।

ନ୍ୟୁୟର୍କ ରାଜ୍ୟର ଏରି କାଉଣ୍ଟି ଏଗଜିକ୍ୟୁଟିଭ୍ ମାର୍କ ପୋଲୋନାର୍କ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କାରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି।

Comments are closed.