ଘୁଞ୍ଚିଲା କୁସ୍ତି ସଂଘ ନିର୍ବାଚନ, ଭୋଟର ତାଲିକାରେ ବ୍ରିଜ ଭୂଷଣଙ୍କ ପରିବାର ସଦସ୍ୟଙ୍କ ନାମ ଥିବା ନେଇ ଆପତ୍ତି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହି ନିର୍ବାଚନ ଜୁଲାଇ ୫ରେ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାଞ୍ଚ ଦିନ ବିଳମ୍ବରେ ଅର୍ଥାତ୍ ଜୁଲାଇ ୧୧ରେ ହେବ । ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଆଡ୍-ହକ୍ କମିଟି ପାଞ୍ଚଟି ଅଣସ୍ଵୀକୃତ ରାଜ୍ୟ ସଂଘର ଯୁକ୍ତି ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛି। ଏହାଛଡ଼ା ନିର୍ବାଚନ ଭୋଟର ତାଲିକାରେ ଡବ୍ଲୁଏଫ୍ଆଇର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପରିବାର ସଦସ୍ୟଙ୍କ ନାମ ରହିଥିବାରୁ ସଂଘର କିଛି ସଦସ୍ୟ ଆପତ୍ତି ଉଠାଇଥିଲେ ବୋଲି ଜଣାପଡ଼ିଛି । ବ୍ରିଜଭୂଷଣଙ୍କ ପରିବାର ଲୋକଙ୍କୁ ରାଜ୍ୟ ସଂଘରେ ବେଆଇନ ଭାବେ ନିଯୁକ୍ତ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।

ଇଲେକ୍ଟ୍ରୋରାଲ କଲେଜ ଗଠନ ଠାରୁ ଆରମ୍ଭ କରି ନାମାଙ୍କନପତ୍ର ଦାଖଲ ଏବଂ ସମସ୍ତ ପଦ ପାଇଁ ଭୋଟ୍ ଦେବା ପର୍ଯ୍ୟନ୍ତ ପୂରା ନିର୍ବାଚନ ପ୍ରକ୍ରିୟା ପାଞ୍ଚ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ତିନିଜଣିଆ ଆଡ୍ ହକ୍ କମିଟିରେ ଅବସରପ୍ରାପ୍ତ ହାଇକୋର୍ଟର ଜଷ୍ଟିସ୍ ଏମ୍ଏମ୍ କୁମାର ରହିଛନ୍ତି । ତାଙ୍କୁ ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର କୁସ୍ତି ସଂଘ ଯୋଗାଯୋଗ କରିଥିଲେ ।

ବ୍ରିଜ ଭୂଷଣ ସଭାପତି ଥିବାବେଳେ ଡବ୍ଲୁଏଫ୍ଆଇ ବେଆଇନ ଭାବେ ସେମାନଙ୍କ ମାନ୍ୟତା ରଦ୍ଦ କରିଥିଲା ବୋଲି ଏହି ପାଞ୍ଚ ରାଜ୍ୟ ସଂଘ ଅଭିଯୋଗ କରିଛନ୍ତି । ବୁଧବାର ଏକ ବୈଠକ ପାଇଁ ଆଡ୍-ହକ୍ କମିଟି ରାଜ୍ୟ ସଂଘ ଗୁଡ଼ିକୁ ଡାକିଥିଲା। ଶୁଣାଣି ସମୟରେ ପ୍ରାୟ ଅର୍ଦ୍ଧ ଡଜନ ରାଜ୍ୟ ସଂଘ ବ୍ରିଜ ଭୂଷଣଙ୍କ ବିରୋଧରେ ଏପରି ଅଭିଯୋଗ କରିଥିଲେ ।

ଏକ ସୂତ୍ରରୁ ପ୍ରକାଶ, “ପ୍ରାୟ ୧୦-୧୧ ରାଜ୍ୟ ସଂଘ ଦାବି କରିଛନ୍ତି ଯେ ବ୍ରିଜ ଭୂଷଣ ଡବ୍ଲୁଏଫ୍ଆଇ ସଭାପତି ଥିବାବେଳେ ସେମାନଙ୍କ ମାନ୍ୟତା ବେଆଇନ ଭାବେ ରଦ୍ଦ କରାଯାଇଥିଲା କିମ୍ବା ସେମାନଙ୍କର ସଦସ୍ୟତା ଛଡ଼ାଇ ନିଆଯାଇଥିଲା । ଆଗାମୀ ୩-୪ ଦିନ ମଧ୍ୟରେ ରିଟର୍ଣ୍ଣିଂ ଅଫିସର ସମସ୍ତ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବେ ଏବଂ ଡବ୍ଲୁଏଫ୍ଆଇ ନିର୍ବାଚନରେ କେଉଁ ସଂଘ ଗୁଡ଼ିକୁ ଭୋଟ୍ ଦେବାକୁ ଅନୁମତି ଦିଆଯିବ ତାହା ସ୍ଥିର କରିବେ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବ୍ରିଜ ଭୂଷଣଙ୍କ ଜ୍ବାଇଁ ବିଶାଲ ସିଂହଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ନେଇ ଆପତ୍ତି ଉଠିଛି । ବିଶାଲ ବିହାର କୁସ୍ତି ସଂଘ (ବିଗବ୍ଲୁଏ)ର ସଭାପତି ଅଟନ୍ତି । ସଂଘର କିଛି ପୂର୍ବତନ ପଦାଧିକାରୀ ଆଡ୍ ହକ୍ କମିଟିକୁ କହିଛନ୍ତି, ୨୦୧୮ରେ ନିୟମ ଉଲ୍ଲଂଘନ କରି ବିହାର କୁସ୍ତି ସଂଘକୁ ଭଙ୍ଗ କରାଯାଇଥିଲା ।

ଯଦି ରିଟର୍ଣ୍ଣିଂ ଅଫିସର ଏହି ସବୁ ଅଭିଯୋଗ ଗ୍ରହଣ କରନ୍ତି, ତେବେ ବ୍ରିଜ ଭୂଷଣଙ୍କ ଜ୍ବାଇଁ ଆସନ୍ତା ନିର୍ବାଚନରେ ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।

ଜୁନ୍ ୭ରେ ବିକ୍ଷୋଭରତ କୁସ୍ତିଯୋଦ୍ଧାଙ୍କ ସହିତ ଆଲୋଚନା ବେଳେ କୁସ୍ତି ମହାସଂଘ ନିର୍ବାଚନରେ ବ୍ରିଜ ଭୂଷଣଙ୍କ ପରିବାର ସଦସ୍ୟଙ୍କୁ ପ୍ରମୁଖ ପଦପଦବୀ ପାଇଁ ଲଢ଼ିବାକୁ ଦିଆଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଶ୍ବାସନା ଦେଇଥିଲେ । ଏହା ବ୍ୟତୀତ ଡବ୍ଲୁଏଫ୍ଆଇ ସଭାପତି, ସାଧାରଣ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀରେ କିଏ ରହିବେ ସେନେଇ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗଟଙ୍କ ମତାମତ ନିଆଯିବ ।

Comments are closed.