ନୂଆ ୟୁଜରଙ୍କ ଠାରୁ ଏଣିକି ବାର୍ଷିକ ଏକ ଡଲାର୍ ଚାର୍ଜ କରିବ ଏକ୍ସ

ନ୍ୟୁୟର୍କ :ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନୀ ‘ଏକ୍ସ (ପୂର୍ବରୁ ଟ୍ବିଟର)’ ନୂଆ ୟୁଜରଙ୍କ ଠାରୁ ବାର୍ଷିକ ଏକ ଡଲାର ଚାର୍ଜ କରିବ । ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସର ନୂଆ ୟୁଜରଙ୍କ ପାଇଁ କମ୍ପାନୀର ଏହି ନୂଆ ସବସ୍କ୍ରିପସନ ଯୋଜନା ଆରମ୍ଭ ହୋଇସାରିଛି ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନା ପରୀକ୍ଷାମୂଳକ ଭାବ ଆରମ୍ଭ ହୋଇଛି । ଏହି ସବସ୍କ୍ରିପସନ ଯୋଜନା ଅଧୀନରେ ୟୁଜରମାନେ ‘ଏକ୍ସ’ର କିଛି ପ୍ରମୁଖ ଫିଚର ବ୍ୟବହାର କରିପାରିବେ |

ଟୁଇଟ୍ ଏବଂ ରିଟ୍ୱିଟ କରିବା ବ୍ୟତୀତ, ବାର୍ଷିକ ସବସ୍କ୍ରିପସନ୍ କରୁଥିବା ନୂଆ ୟୁଜରମାନେ ପୋଷ୍ଟ ଲାଇକ୍ କରିବା ଏବଂ ଉତ୍ତର ଦେବାକୁ ସମର୍ଥ ହେବେ। ଯେଉଁ ୟୁଜରମାନେ ଏହି ସବସ୍କ୍ରିପସନ୍ ଫି ଦେବାକୁ ଚାହୁଁ ନାହାଁନ୍ତି, ସେମାନେ କେବଳ ଅନ୍ୟମାନଙ୍କ ପୋଷ୍ଟ ପଢ଼ି ପାରିବେ, ଭିଡିଓ ଦେଖିପାରିବେ ଏବଂ ଅନ୍ୟ ହ୍ୟାଣ୍ଡେଲଗୁଡିକୁ ଫଲୋ କରିପାରିବେ |

‘ଏକ୍ସ’ କହିଛି ଯେ ସ୍ପାମ୍ (ନକଲି ଆକାଉଣ୍ଟ) ସଂଖ୍ୟା ହ୍ରାସ କରିବା ସହ ପ୍ଲାଟଫର୍ମର ଅପବ୍ୟବହାରକୁ ଏବଂ ବଟ୍ ଗତିବିଧି ରୋକିବାକୁ ଏହି ନୂଆ ସବସ୍କ୍ରିପସନ ଯୋଜନାର ଉଦ୍ଦେଶ୍ୟ । ନୂଆ ଆକାଉଣ୍ଟଗୁଡ଼ିକୁ ମଧ୍ୟ ସେମାନଙ୍କ ଫୋନ୍ ନମ୍ବର ଭେରିଫାଏ କରିବାକୁ ପଡ଼ିବ ।

ତେବେ ସବସ୍କ୍ରିପସନ୍ ଫି ଦେବାକୁ ଚାହୁଁ ନଥିବା ୟୁଜରଙ୍କ ପାଇଁ ‘କେବଳ ପଠନୀୟ’ କଣ୍ଟେଣ୍ଟ୍ ସୃଷ୍ଟି କରାଯାଇପାରିବ । ଏଥିରେ କିନ୍ତୁ କୌଣସି ପ୍ରମୁଖ ଫିଚର ରହିବ ନାହିଁ ବୋଲି ଏଲନ୍ ମସ୍କ କହିଛନ୍ତି।

‘ଏକ୍ସ’ରେ ରହିବାକୁ ହେଲେ ସମସ୍ତ ୟୁଜରଙ୍କୁ ସବସ୍କ୍ରିପସନ୍ ଫି ଦେବାକୁ ପଡ଼ିବ ବୋଲି ମସ୍କ ଗତମାସରେ ସ୍ପଷ୍ଟ କରିଥିଲେ ।

ମସ୍କ ଗତ ବର୍ଷ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ କମ୍ପାନୀର ଆୟ କ୍ରମାଗତ ଭାବେ ହ୍ରାସ ପାଉଛି।

ୟୁଜରଙ୍କ ଠାରୁ ସବସ୍କ୍ରିପସନ୍ ଫି ଚାର୍ଜ କରିବା ପଛରେ କମ୍ପାନୀର ଆର୍ଥିକ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି | ମସ୍କ କିନ୍ତୁ କହୁଛନ୍ତି ଯେ ସ୍ପାମ୍ ଓ ବଟ୍ ଗୁଡ଼ିକର ମୁକାବିଲା ପାଇଁ ସବସ୍କ୍ରିପସନ୍ ଯୋଜନା ଆରମ୍ଭ କରାଯାଇଛି ।

Comments are closed.