ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଏନ୍ଆଇଏ କୋର୍ଟ ୟାସିନ ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ କୋର୍ଟ ତାଙ୍କ ବିରୋଧରେ ଆସନ୍ତା ୨୫ ତାରିଖରେ ଦଣ୍ଡାଦେଶ ଘୋଷଣା କରିବେ। କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ନେଇ ୟାସିନ ମଲିକ ନିକଟରେ ସ୍ୱୀକାର କରିଥିଲେ।

ୟାସିନ ମଲିକଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ(ୟୁପିଏ) ଅନୁଯାୟୀ ବିଭିନ୍ନ ଦଫା ଲାଗିଥିଲା। ଏହାଛଡ଼ା ଏହି ବିଚ୍ଥିନ୍ନତାବାଦୀ ନେତାଙ୍କ ବିରୋଧର ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା।

ୟାସିନ ମଲିକ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲ୍ଏଫ୍) ସହ ଜଡ଼ିତ ଥିଲେ | ୨୦୧୯ରେ କେନ୍ଦ୍ର ସରକାର ଜେକେଏଲ୍ଏଫ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ୧୯୯୦ ରେ ୟାସିନ ମଲିକ ୪ ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିଆ ସୟିଦଙ୍କୁ ଅପହରଣ କରିବା ଅଭିଯୋଗ ବି ହୋଇଥିଲା।

Comments are closed.