ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲାରେ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଏକ ଏନ୍ଆଇଏ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାପୂର୍ବରୁ ମେ ୧୯ ରେ କୋର୍ଟ ୟାସିନ ମଲିକଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ତାଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛନ୍ତି କୋର୍ଟ ।

ୟାସିନ ମଲିକଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ(ୟୁଏପିଏ) ଅନୁଯାୟୀ ବିଭିନ୍ନ ଦଫା ଲାଗିଥିଲା। ଏହାଛଡ଼ା ଏହି ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧର ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା।ୟାସିନ ମଲିକ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ସେ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ।

ୟାସିନ ମଲିକ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲ୍ଏଫ୍) ସହ ଜଡ଼ିତ ଥିଲେ | ହଜ ଏହାର ସଭାପତି ତଥା ଅନ୍ୟତମ ପ୍ରତିଷ୍ଠାତା ଥିଲେ। ଏହି ସଂଗଠନ ବହୁ ବର୍ଷ ଧରି କାଶ୍ମୀର ଉପତ୍ୟକାରେ ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ୨୦୧୯ରେ କେନ୍ଦ୍ର ସରକାର ଜେକେଏଲ୍ଏଫ୍ ଉପରେ କଟକଣା ଲଗାଇଥିଲେ। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ୧୯୯୦ ରେ ୟାସିନ ମଲିକ ୪ ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିଆ ସୟିଦଙ୍କୁ ଅପହରଣ କରିବା ଅଭିଯୋଗ ବି ହୋଇଥିଲା।

Comments are closed.