ରାହୁଲ ଗାନ୍ଧୀଙ୍କ ନକଲି ଭିଡ଼ିଓ ପ୍ରସାରଣ ଅଭିଯୋଗରେ ‘ଜୀ ନ୍ୟୁଜ୍’ ଆଙ୍କର୍ ରୋହିତ ରଂଜନ ଗିରଫ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଦର୍ଥ କରି ନକଲି ଭିଡ଼ିଓ ପ୍ରସାରଣ କରିବା ଅଭିଯୋଗରେ ସାମ୍ବାଦିକ ତଥା ଜୀ ନ୍ୟୁଜ ଆଙ୍କର୍ ରୋହିତ ରଂଜନ ଗିରଫ ହୋଇଛନ୍ତି । ତାଙ୍କୁ ନୋଏଡା ପୋଲିସ ଗିରଫ କରିଛି । ତେବେ ଏହା ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ରଂଜନଙ୍କୁ ଗିରଫକୁ ନେଇ ଛତିଶଗଡ଼ ଓ ଉତ୍ତର ପ୍ରଦେଶ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା ।

ରୋହିତ ରଂଜନଙ୍କୁ ଗିରଫ କରିବା ପାଇଁ ଆଜି ସକାଳେ ଛତିଶଗଡ଼ ପୋଲିସ ନୋଏଡା ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । ଏହାପୂର୍ବରୁ ସାମ୍ବାଦିକ ରଂଜନ ନିଜେ ଟ୍ୱିଟ୍ କରି ଛତିଶଗଡ ପୋଲିସର ଘରେ ପହଞ୍ଚିବା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ୟୁପି ପୋଲିସ୍ ଅଧିକାରୀଙ୍କୁ ଟ୍ୟାଗ୍ କରି ଏହା ନିୟମ ଅନୁଯାୟୀ ଠିକ୍ କି ବୋଲି ପ୍ରଶ୍ନ କରିଥିଲେ ।

ରଂଜନଙ୍କ ଟ୍ବିଟର ଜବାବରେ ୟୁପି ପୋଲିସ କହିଥିଲା ଯେ ଗାଜିଆବାଦର ଇନ୍ଦିରାପୁରାମ ପୋଲିସ ଷ୍ଟେସନ ଘଟଣାସ୍ଥଳରେ ଅଛି ଏବଂ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୋହିତ ରଂଜନ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏଡିଜି ଲକ୍ଷ୍ନୌ ଜୋନ୍ ଏବଂ ଗାଜିଆବାଦ ଏସଏସପି ଟ୍ୟାଗ୍ କରିଥିଲେ ।

ସୂଚନା ବିନା ତାଙ୍କୁ ଗିରଫ ପାଇଁ ଛତିଶଗଡ଼ ପୋଲିସ ପହଞ୍ଚିଛି ବୋଲି ରୋହିତ ରଂଜନଙ୍କ ଅଭିଯୋଗ ଉପରେ ରାୟପୁର ପୋଲିସ ମଧ୍ୟ ପ୍ରତିକ୍ରିୟା ଦେଇଥିଲା । ରୋହିତ ରଂଜନଙ୍କ ଟ୍ବିଟର ଉତ୍ତରରେ ରାୟପୁର ପୋଲିସ କହିଥିଲା ଯେ ସେପରି କୌଣସି ନିୟମ ନାହିଁ। ରାୟପୁର ପୋଲିସ ଲେଖିଥିଲା, ‘ଏପରି କୌଣସି ନିୟମ ନାହିଁ ଯେ ଗିରଫ କରିବା ପୂର୍ବରୁ ଅଭିଯୁକ୍ତଙ୍କୁ ସୂଚନା ଦିଆଯିବା ଉଚିତ୍। ବର୍ତ୍ତମାନ ଆପଣଙ୍କୁ ସୂଚନା ଦିଆଯାଇଛି | ପୋଲିସ୍ ଟିମ୍ ଆପଣଙ୍କୁ କୋର୍ଟର ୱାରେଣ୍ଟ ଦେଖାଇଛି | ବର୍ତ୍ତମାନ ଆପଣ ଏହି ପ୍ରସଙ୍ଗରେ ସହଯୋଗ କରନ୍ତୁ ଓ ତଦନରେ ଯୋଗ ଦିଅନ୍ତୁ ଏବଂ କୋର୍ଟରେ ଆପଣଙ୍କ ପକ୍ଷ ରଖନ୍ତୁ |

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨ରେ ‘ଜୀ ନ୍ୟୁଜ୍’ ଚ୍ୟାନେଲରେ ପ୍ରସାରିତ ଡିଏନ୍ଏ କାର୍ଯ୍ୟକ୍ରମରେ ଆଙ୍କର୍ ରୋହିତ ରଂଜନ କେରଳରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଉଦୟପୁର ଘଟଣା ସହ ଯୋଡି ଦେଖାଇଥିଲେ । ବାସ୍ତବରେ ରାହୁଲ ଗାନ୍ଧୀ ୱାୟାନାଡ ସ୍ଥିତ ତାଙ୍କ ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣା ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ଏଥିରେ ସମ୍ପୃକ୍ତ ବାମପନ୍ଥୀ ଛାତ୍ର ନେତାଙ୍କୁ ଛୋଟ ଛୁଆ ବୋଲି କହି କ୍ଷମା କରିଦେବାକୁ କହିଥିଲେ। କିନ୍ତୁ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏହି ମନ୍ତବ୍ୟକୁ ଉଦୟପୁରର କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କ ସହ ଯୋଡ଼ି ପ୍ରସାରଣ କରାଯାଇଥିଲା । କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ରାହୁଲ ଗାନ୍ଧୀ ଛୋଟ ଛୁଆ କହୁଛନ୍ତି ବୋଲି ଉକ୍ତ ଚ୍ୟାନେଲ ଏକ ଖବର ପ୍ରସାରଣ କରିଥିଲା ।

କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା । ଯାହା ପରେ ଏହି କାର୍ଯ୍ୟକ୍ରମର ଭିଡିଓର କିଛି ଅଂଶ ଚ୍ୟାନେଲ ଦ୍ୱାରା ଟ୍ୱିଟରରୁ ଡିଲିଟ କରିଦିଆଯାଇଥିଲା। କେବଳ ଏତିକି ନୁହେଁ, ଲାଇଭ ସୋ ଏବଂ ଟ୍ୱିଟର ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମ୍ପୃକ୍ତ ଚ୍ୟାନେଲ ପକ୍ଷରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଥିଲା। ପରଦିନ କାର୍ଯ୍ୟକ୍ରମରେ ସାମ୍ବାଦିକ ରୋହିତ ରଂଜନ ନିଜେ କ୍ଷମା ମାଗିଥିଲେ ଏବଂ ଏହି ଭୁଲକୁ ମାନବୀୟ ତ୍ରୁଟି ବୋଲି କହିଥିଲେ।

Comments are closed.