ଇସ୍ରାଏଲର ଜେରୁସଲମରେ ପୁଟିନଙ୍କ ସହ କଥାବାର୍ତ୍ତା ପାଇଁ ଜେଲେନସ୍କି ପ୍ରସ୍ତାବ

କିଭ୍: ଯୁଦ୍ଧ ଶେଷ କରିବା ପାଇଁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପୁଣିଥରେ ପୁଟିନଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ ଯଦି ରୁଷ ଅସ୍ତ୍ରବିରତି ଘୋଷଣା କରେ, ତେବେ ସେ ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ।

ଜେଲେନସ୍କି କହିଛନ୍ତି ଯେ ସେ ପୁଟିନଙ୍କୁ ଇସ୍ରାଏଲର ଜେରୁସଲମରେ ଭେଟିବାକୁ ପ୍ରସ୍ତୁତ ଅଛନ୍ତି। ସେ ଏହି କଥା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟଙ୍କୁ କହିଛନ୍ତି । ନିକଟରେ ବେନେଟ ମସ୍କୋ ଗସ୍ତ କରି ପୁଟିନଙ୍କୁ ଭେଟିଥିଲେ । ଫ୍ରାନ୍ସ ଏବଂ ଜର୍ମାନୀର ନେତା ମଧ୍ୟ ଜେଲେନସ୍କିଙ୍କ ସହ ଅନେକ ଥର କଥା ହୋଇଥିଲେ।

ଜେଲେନସ୍କି କହିଛନ୍ତି ଯେ ପୁଟିନଙ୍କ ସହ କଥାବାର୍ତ୍ତା ନେଇ ବେନେଟ ତାଙ୍କୁ ଅବଗତ କରିଥିଲେ । ତେବେ ସେ ସବିଶେଷ ତଥ୍ୟ ସେୟାର କରିପାରିବେ ନାହିଁ ବୋଲି ଜେଲେନସ୍କି କହିଛନ୍ତି।

ଆଲୋଚନା ପାଇଁ ଜେଲେନସ୍କିଙ୍କ ଅନେକ ପ୍ରସ୍ତାବକୁ ପୁଟିନ ଅଣଦେଖା କରିଛନ୍ତି। ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରୁଷ କେବଳ ୟୁକ୍ରେନର ରାଜଧାନୀକୁ ସେତେବେଳେ କବଜା କରିପାରିବ ଯଦି ସେମାନେ ଆମ ସମସ୍ତଙ୍କୁ ହତ୍ୟା କରନ୍ତି। ଜେଲେନସ୍କି କହିଛନ୍ତି, ଯଦି ଏହା ସେମାନଙ୍କର ଲକ୍ଷ୍ୟ, ତେବେ ସେମାନଙ୍କୁ ଆସିବାକୁ ଦିଅନ୍ତୁ।

Comments are closed.