ଅକ୍ସିଜେନର ସୁଗମ ପରିବହନ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ – ଦେଶର କୋଭିଡ୍ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦ଟି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଅକ୍ସିଜେନ ଅଭାବ ଭଳି ଉତ୍କଟ ସମସ୍ୟାର ସମାଧାନ ଲାଗି ସେ ସବୁ ରାଜ୍ୟର ସହଯୋଗ ଲୋଡିଛନ୍ତି । ଅକ୍ସିଜେନର ସୁଗମ ପରିବହନ ନିଶ୍ଚିତ କରିବାକୁ ମୋଦି ରାଜ୍ୟମାନଙ୍କୁ କହିଛନ୍ତି । ଅକ୍ସିଜେନ ଟ୍ୟାଙ୍କର ଗୁଡିକୁ ନ ଅଟକାଇ ସେଗୁଡିକ ଯେଭଳି ତୁରନ୍ତ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ତାହା ନିଶ୍ଚିତ କରାଯିବା ଉଚିତ । ଏଥିପାଇଁ ରାଜ୍ୟମାନେ ଏକ ସମନ୍ୱୟ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ଜରୁରୀ ଔଷଧର କଳାବଜାରୀ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବାକୁ ସେ ସବୁ ରାଜ୍ୟକୁ କହିଛନ୍ତି । କୋଭିଡ୍ ସଙ୍କଟର ମୁକାବିଲା ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସବୁପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ । ଏଭଳି ସଙ୍ଗୀନ ସ୍ଥିତିରେ ଆମକୁ ଏକଜୁଟ୍ ହେବାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.