ଆଜି ଦେଶର ସବୁ ଏଫ୍‌ସିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଦେଶର ସବୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) କାର୍ଯ୍ୟାଳୟ ଆଗରେ ଧାରଣା ଦେବେ । ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏହି ବିକ୍ଷୋଭ ପ୍ରଦର୍ଶନକୁ ‘ଏଫ୍‌ସିଆଇ ବଞ୍ଚାଅ ଦିବସ’ ଭାବେ ନାମିତ କରିଛି ।

ଏସ୍‌କେଏମ୍ ତରଫରୁ କୁହାଯାଇଛି ଯେ, ଆଜି ଦେଶର ସବୁ ଏଫ୍‌ସିଆଇ କାର୍ଯ୍ୟାଳୟ ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ଆଜି ‘ଏଫ୍‌ସିଆଇ ବଞ୍ଚାଓ ଦିବସ’ ଭାବେ ପାଳନ କରାଯିବ । ଏହି ଅବସରରେ କେନ୍ଦ୍ର ଖାଉଟି ମନ୍ତ୍ରୀଙ୍କ ନାମରେ ଏକ ସ୍ମାରକ ପତ୍ର ବି ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ଗହମ ଓ ଧାନର ମାନ ନିର୍ଦ୍ଧାରଣ ଲାଗି ନିୟମ ଆହୁରି କଡ଼ାକଡ଼ି କରିବା ପାଇଁ ମାର୍ଚ୍ଚ ୧୧ରେ ଏଫ୍‌ସିଆଇ ତରଫରୁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏହାଛଡ଼ା ଆଉ କିଛି ପ୍ରସ୍ତାବ ବି କେନ୍ଦ୍ରକୁ ଦିଆଯାଇଥିଲା ।

ସଂସଦର ବଜେଟ ଅଧିବେଶନରେ କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା ଏଫ୍‌ସିଆଇର ଏଭଳି ପ୍ରସ୍ତାବକୁ ବିରୋଧ କରିଥିଲେ । ଏଫ୍‌ସିଆଇର ଯେଉଁ ପ୍ରସ୍ତାବ ଦେଇଛି, ତାହା କାର୍ଯ୍ୟକାରୀ କରାଗଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ବାଜୱା କହିଥିଲେ । ଏଫ୍‌ସିଆଇର ସୁପାରିସ ବିରୋଧରେ ମାର୍ଚ୍ଚ ୧୯ରେ କୃଷକ ମାନଙ୍କ ତରଫରୁ ଦେଶର ସବୁ ମଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୁଣି ଆଜି ଏଫ୍‌ସିଆଇ କାର୍ଯ୍ୟାଳୟ ଆଗରେ ବି ଧାରଣା ଦିଆଯିବ ବୋଲି ଏସ୍‌କେଏମ୍ କହିଛି ।
ସୂଚନାଯୋଗ୍ୟ, ଦେଶର ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନ ପ୍ରାୟ ପାଞ୍ଚ ମାସ କାଳ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି ।

Comments are closed.