ଏଥର ମାସକ ପାଇଁ ହେବ କୁମ୍ଭମେଳା, ତୀର୍ଥଯାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ – ଦେଶରେ କରୋନା ସଂକ୍ରମଣ ଗତି ପୁଣି ଊର୍ଦ୍ଧ୍ୱମୁହାଁ ହୋଇଥିବାରୁ ହରିଦ୍ୱାର କୁମ୍ଭମେଳା ଅବଧିକୁ କମାଇ ଦିଆଯାଇଛି । ସାଢ଼େ ତିନିମାସ ପରିବର୍ତ୍ତେ ଏଥର କୁମ୍ଭମେଳା କେବଳ ମାସକ ପାଇଁ ହେବ । କୁମ୍ଭକୁ ଆସୁଥିବା ସବୁ ତୀର୍ଥଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଥର ପାଇଁ କୁମ୍ଭମେଳା ଅବଧି ହ୍ରାସ କରାଯାଇଛି ।

ଉତ୍ତରାଖଣ୍ଡ ସରକାର ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୧ରୁ ୩୦ ଯାଏଁ ହରିଦ୍ୱାର ଗଙ୍ଗାନଦୀ ତଟରେ କୁମ୍ଭମେଳାର ଆୟୋଜନ ହେବ । କୁମ୍ଭମେଳାରେ ତିନୋଟି ‘ଶାହି ସ୍ନାନ’ ଯଥାକ୍ରମେ ଏପ୍ରିଲ ୧୨, ୧୪ ଏବଂ ୨୭ ତାରିଖରେ ହେବ ।

କୁମ୍ଭମେଳା ସମୟରେ ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାନ୍ତି । ‘ଶାହି ସ୍ନାନ’ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁଗୁଣ ବଢ଼ିଥାଏ । ଏପ୍ରିଲ ୧୩ରେ ଚୈତ୍ର ପ୍ରତିପଦା ଏବଂ ଏପ୍ରିଲ ୨୧ରେ ରାମନବମୀ ପଡୁଥିବାରୁ କୁମ୍ଭମେଳା ଭକ୍ତଙ୍କ ପ୍ରବଳ ଭିଡ଼ ଜମିବା ସମ୍ଭାବନା ରହିଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାର ବର୍ଷକୁ ଥରେ ହେଉଥିବା କୁମ୍ଭମେଳା ସାଧାରଣତଃ ସାଢ଼େ ତିନିମାସ ଯାଏଁ ହୋଇଥାଏ । ଶେଷଥର ୨୦୧୦ରେ ହରିଦ୍ୱାରା କୁମ୍ଭମେଳା ଜାନୁୟାରୀ ୧୪ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

କୁମ୍ଭମେଳାରେ ଯୋଗଦେବାକୁ ତୀର୍ଥଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ କୋଭିଡ୍‌-୧୯ ଟିକା ନେଇଛନ୍ତି, ସେମାନଙ୍କୁ ସରକାରୀ ପୋର୍ଟାଲରେ ନିଜ ଟିକାକରଣ ସମ୍ପର୍କିତ ପ୍ରମାଣପତ୍ରକୁ ଅପଲୋଡ୍ କରିବାକୁ ପଡିବ ।

Comments are closed.