କରୋନା ସୁନାମି: ଭାରତରେ ଦୁଇ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୩୨୮୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି ।

ଭାରତ ବିଶ୍ୱର ଚତୁର୍ଥ ଦେଶ ଯେଉଁଠାରେ କରୋନାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ଭାରତରେ କରୋନା ବ୍ୟାପିବା ଦିନଠାରୁ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ୩ ହଜାର ଟପିଛି । କରୋନାରେ ସର୍ବାଧିକ ମୃତ୍ୟୁସଂଖ୍ୟାରେ ଆମେରିକା ପ୍ରଥମ ସ୍ଥାନରେ ଅଛି । ଏହି ଦେଶରେ କରୋନାରେ ଏଯାବତ ୫.୭୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଏହି ଦେଶରେ ୩.୯୨ ଲକ୍ଷ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବମା ବେଳେ ମେକ୍ସିକୋରେ ୨.୧୫ ଲକ୍ଷ ଲୋକଙ୍କ ଜୀବନ ଯାଇଛି ।

ଦେଶରେ ପୁଣି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୩,୬୨,୭୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ସପ୍ତମ ଦିନ ଧରି ଭାରତରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହୋଇଛି ।

ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୭୯ କୋଟିରେ ପହଞ୍ଚିଛି । କରୋନାରେ ଏଯାବତ ୨.୦୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧.୪୮ କୋଟି ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ମଧ୍ୟ ୨୯ ଲକ୍ଷ ୭୨ ହଜାରକୁ ବୃଦ୍ଧି ପାଇଛି ।

Comments are closed.