କର୍ଣ୍ଣାଟକକୁ ଅକ୍ସିଜେନ ଯୋଗାଣ ମାମଲାରେ କେନ୍ଦ୍ରକୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ: କର୍ଣ୍ଣାଟକକୁ ଅଧିକ ଅକ୍ସିଜେନ୍ ଯୋଗାଣ ମାମଲାରେ କେନ୍ଦ୍ରକୁ ‘ସୁପ୍ରିମ’ ଝଟ୍‌କା ଲାଗିଛି । କର୍ଣ୍ଣାଟକର ଅକ୍ସିଜେନ୍ କୋଟା ବଢ଼ାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର କରିଥିବା ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି ଯେ, କର୍ଣ୍ଣାଟକକୁ ଅଧିକ ଅକ୍ସିଜେନ ଯୋଗାଣ ମାମଲାରେ ହାଇକୋର୍ଟ ଦେଇଥିବା ଆଦେଶ ଯଥାର୍ଥ । ଆମେ ହାଇକୋର୍ଟ ଆଦେଶରେ ହସ୍ତକ୍ଷେପ କରିବାକୁ ଉଚିତ ମଣୁ ନାହୁଁ ।

କର୍ଣ୍ଣାଟକକୁ ପ୍ରତିଦିନ ୧୨୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇବା ପାଇଁ ହାଇକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏତେ ପରିମାଣର ଅକ୍ସିଜେନ ଯୋଗାଇବା ପାଇଁ ସମୟ ଲାଗିବ ବୋଲି ଯୁକ୍ତି କରି କେନ୍ଦ୍ର ହାଇକୋର୍ଟର ଏହି ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି ଯେ, ୩.୯୫ ଲକ୍ଷ କରୋନା ମାମଲା ଦୃଷ୍ଟିରୁ କର୍ଣ୍ଣାଟକକୁ ୧୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନର ଆବଶ୍ୟକତା ଅଛି । ହାଇକୋର୍ଟ ଏହି ମାମଲାରେ ବୁଝି ବିଚାରି ରାୟ ଶୁଣାଇଛନ୍ତି । ଏଭଳି ସଙ୍ଗୀନ ସ୍ଥିତିରେ ହାଇକୋର୍ଟ ଆଖି ବନ୍ଦ କରି ରହିପାରିବେ ନାହିଁ ।

Comments are closed.