କୃଷି ଆଇନ ବିବାଦ: ସରକାରଙ୍କୁ ଅକ୍ଟୋବର ୨ ଯାଏଁ ସମୟ ଦେଲେ ଟିକୈତ

ନୂଆଦିଲ୍ଲୀ – କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ସରକାରଙ୍କୁ ଅକ୍ଟୋବର ୨ ଯାଏଁ ସମୟ ଦେଇଛନ୍ତି କୃଷକ ନେତା ରାକେଶ ଟିକୈତ । ଟିକୈତ କହିଛନ୍ତି ଯେ ତିନି କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆମେ ଘରକୁ ଫେରିବୁ ନାହିଁ । ଚାଷୀମାନଙ୍କ ଦାବି ସହ କୌଣସି ସାଲିସ୍ କରାଯିବ ନାହିଁ । କୃଷି ଆଇନ ପ୍ରତ୍ୟାହାର କରାଯିବ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଗ୍ୟାରେଣ୍ଟି ଥାଇ ଏକ ନୂଆ ଆଇନ ପ୍ରଣୟନ କରାଗଲେ ହିଁ ଆମେ ସବୁ ଘରକୁ ଯିବୁ ବୋଲି ଭାରତୀୟ କିଷାନ ୟୁନିୟନ ନେତା ଟିକୈତ କହିଛନ୍ତି ।
ଟିକୈତ ଓ ତାଙ୍କ ସମର୍ଥକମାନେ ଗତ ନଭେମ୍ବରରୁ କୃଷି ଆଇନ ବିରୋଧରେ ଦିଲ୍ଲୀ-ମିରଟ ରାଜପଥରେ ବିକ୍ଷୋଭ ଜାରି ରଖିଛନ୍ତି ।
କୃଷି ଆଇନ ପ୍ରତିବାଦରେ କୃଷକ ସଂଗଠନଙ୍କ ତରଫରୁ ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଦେଶବ୍ୟାପୀ ଚକା ଜାମ୍ ଡାକରା ଦିଆଯାଇଥିଲା । ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଛାଡ଼ି ଚକା ଜାମ୍‌ର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଚାଷୀମାନେ ଅନେକ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଚକା ଜାମ୍ ଶାନ୍ତିପୂର୍ଣ୍ଣ ରହିଥିଲା ।

Comments are closed.