କୋଭିଡ ସଂକ୍ରମଣ ପ୍ରତିହତ ଦିଗରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଜନ ସଂପର୍କ ଅଭିଯାନ ତ୍ୱରାନ୍ୱିତ

ରାଉରକେଲା: ରାଉରକେଲାରେ ଜନସଂପର୍କ ଅଭିଯାନକୁ ମହାନଗର ନିଗମ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଆଜି ମହାନଗର ନିଗମ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସହରର ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ଅନଲାଇନରେ ଆଲୋଚନା କରିଛନ୍ତି କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା। ଆଗାମୀ ଦିନରେ ମଧ୍ୟ ଅନ୍ୟ ସଂଗଠନ ମାନଙ୍କ ସହ ଏଭଳି ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଆଜିର ଭର୍ଚୁଆଲ ଆଲୋଚନା କାର୍ଯ୍ୟକ୍ରମରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରୀଜ୍ ର ମୁଖ୍ୟ ପ୍ରବୀଣ ଗର୍ଗ, ଜାମା ମସଜିଦର ଇମାମ୍ ମହମ୍ମଦ ଇସ୍ତିଆକ୍, ସି.ଡବ୍ଲୁ.ଏସ୍ ହସ୍ପିଟାଲର ମୁଖ୍ୟ ଫାଦର ବେନି, ହନୁମାନ ବାଟିକାର ରାମଶ୍ରୀ ପାଣ୍ଡେ, ଗୁରୁଦ୍ୱାରା ସିଂ ସଭାର ବଲଦେବ ସିଂ, ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଏଫ୍.ସି. ମହାନ୍ତି, ଶକ୍ତି କ୍ଲବର ମିହିର ମହାପାତ୍ର, ସାଇ ପରିବାରର ଭରତ ଚନ୍ଦ୍ର ଦାସ, ଆଖି ସାମାଜିକ ସଂଗଠନର ଅବିନାଶ କୁମାର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଭୟ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଶେଷ କରି ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ବୟସ୍କ ବ୍ୟକ୍ତି, କୋଭିଡ ପଜିଟିଭ ବ୍ୟକ୍ତି ତଥା ଅନ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ଏବଂ ଆବଶ୍ୟକ ସ୍ଥଳେ ମହାନଗର ନିଗମକୁ ସେସଂପର୍କରେ ଜଣାଇବା ଲାଗି ବ୍ୟାପକ ଜନସଂପର୍କ ଓ ସଚେତନତା ସୃଷ୍ଟିର ଆବଶ୍ୟକତା ନେଇ ଆଲୋଚନାରେ ମତପ୍ରକାଶ ପାଇଥିଲା। ଜନସାଧାରଣଙ୍କ ସହଯୋଗ ବିନା କୋଭିଡ ମୁକାବିଲା ଆଦୌ ସମ୍ଭବ ନୁହଁ। ସହରର ବିଭିନ୍ନ ବର୍ଗର ନେତୃବୃନ୍ଦ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ ଏଦିଗରେ ପ୍ରଶାସନକୁ ସହଯୋଗ କରିବା ଲାଗି ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ନିବେଦନ କରିଥିଲେ। ବିଶେଷ କରି ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ନିଜ ନିଜ ଅଞ୍ଚଳରେ କୋଭିଡ ପରିଚାଳନା ଦିଗରେ ସାହାଯ୍ୟକାରୀ ଭାବେ ଦାୟିତ୍ୱ ନିର୍ବାହ କରିବା ଲାଗି କିଛି ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରି ମହାନଗର ନିଗମର ହ୍ୱାଟ୍ସଅପ୍ ନମ୍ବର – 7846806035ରେ ସେମାନଙ୍କ ନାଁ, ଫୋନ୍ ନମ୍ବର, କେଉଁ ଅଞ୍ଚଳ ପାଇଁ କାମ କରିବେ, ଇତ୍ୟାଦି ବିବରଣୀ ପଠାଇବା ଲାଗି କମିଶନର ଅନୁରୋଧ ଜଣାଇଥିଲେ। ଏହି କୋଭିଡ ମନିଟର ମାନେ ନିଜ ନିଜ ଅଞ୍ଚଳରେ ଥିବା କୋଭିଡ ପଜିଟିଭ ବ୍ୟକ୍ତି ଓ ସେମାନଙ୍କ ପରିବାରର ଯତ୍ନ ନେବେ। ହୋମ୍ ଆଇସୋଲେସନରେ ଥିବା କୋଭିଡ ପଜିଟଭ୍ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଲେ ନିମ୍ନରେ ଦିଆଯାଇଥିବା ହେଲ୍ପଲାଇନ ନମ୍ବରରେ ତୁରନ୍ତ ଯୋଗାଯୋଗ କରିବେ। ସେହିପରି ବୟସ୍କ ବ୍ୟକ୍ତି ବା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ମଧ୍ୟ ରାଉରକେଲା ମହାନଗର ନିଗମକୁ ଜଣାଇଲେ ତାହାର ବିହିତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ ବୋଲି କୁହାଯାଇଛି। ଏଥି ସହିତ ୱାର୍ଡ ଏବଂ ବସ୍ତି ସ୍ତରରେ ମଧ୍ୟ ଏହି ଜନସଂପର୍କ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି କମିଶନର ନିର୍ଦ୍ଦେଶ ଦେଇଥିବା ଆଲୋଚନାରେ ଜଣାଇଥିଲେ।

କୋଭିଡ ପଜିଟିଭ୍ ବ୍ୟକ୍ତିଙ୍କ ସଂପର୍କରେ ଜରୁରୀ କାଳୀନ ସୂଚନା ପ୍ରଦାନ ନିମନ୍ତେ ହେଲ୍ପ ଲାଇନ ନମ୍ବର – 7847054165 ଏବଂ ବୟସ୍କ ତଥା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ପ୍ରଦାନ ନିମନ୍ତେ ହେଲ୍ପ ଲାଇନ ନମ୍ବର – 7655002259ରେ ଯୋଗାଯୋଗ କରିବାକୁ ମହାନଗର ନିଗମ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.