ଚେନ୍ନାଇ ଟେଷ୍ଟ: ୪୨୦ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ୩୯/୧

ଚେନ୍ନାଇ – ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଘରୋଇ ଭାରତ ଆଗରେ ୪୨୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୩୯ ରନ୍ କରିଛି । ସିନିୟର ଓପନର ରୋହିତ ଶର୍ମା ପୁଣିଥରେ ନିରାଶ କରିଛନ୍ତି । ସେ ମାତ୍ର ୧୨ ରନ୍ କରି ଜାକ୍ ଲିଚ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ ଗିଲ୍ ୧୫ ଓ ଚେତେଶ୍ୱର ପୂଜାରା ୧୨ ରନ୍ କରି ଅପରାଜିତ ଅଛନ୍ତି ।

ପଞ୍ଚମ ତଥା ଶେଷ ଦିବସରେ ଭାରତକୁ ବିଜୟ ପାଇଁ ୩୮୧ ରନ୍ ଆବଶ୍ୟକ ହେଉଥିବା ବେଳେ ଇଂଲଣ୍ଡକୁ ଦରକାର ୯ ୱିକେଟ୍ । ପିଚ୍ ଟର୍ଣ୍ଣ ନେଉଥିବାରୁ ଭାରତକୁ ମ୍ୟାଚ୍ ବଞ୍ଚାଇବା ଏକ ବଡ଼ ଚାଲେଞ୍ଜ ହେବ ।

ପୂର୍ବରୁ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୫୭/୬ରୁ ଖେଳ ଆରମ୍ଭ କରି ୩୩୭ ରନରେ ଅଲଆଉଟ୍ ହୋଇଥିଲା । ଦଳ ତରଫରୁ ୱାଶିଂଟନ ସୁନ୍ଦର ୮୫ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ପ୍ରଥମ ଇନିଂସ୍‌ରେ ୨୪୧ ରନର ବିଶାଳ ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୭୮ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ତରପରୁ ଅଧିନାୟକ ଜୋ ରୁଟ୍ ସର୍ବାଧିକ ୪୦ ରନ୍ କରିଥିଲେ । ଭାରତ ପକ୍ଷରୁ ଅଫ୍ ସ୍ପିନର ଅଶ୍ୱିନ ୬ଟି ୱିକେଟ୍ ନେଇଥିବା ବେଳେ ଶାହାବାଜ ନଦୀମ ୨ଟି ୱିକେଟ୍ ପାଇଥିଲେ । ଯଶପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଈଶାନ୍ତ ମଧ୍ୟ କ୍ୟାରିୟର ୩୦୦ ୱିକେଟ୍ ହାସଲ କରିଥିଲେ । ଏହି ମାଇଲଖୁଣ୍ଟ ଛୁଇଁବାରେ ଈଶାନ୍ତ ହେଉଛନ୍ତି ଭାରତର ଷଷ୍ଠ ବୋଲର ତଥା ତୃତୀୟ ପେସର ।

Comments are closed.