ଟୁଲକିଟ୍ ମାମଲା: ୨୨ ବର୍ଷୀୟା ଦିଶାଙ୍କ ଗିରଫ ନେଇ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ – ୨୨ ବର୍ଷୀୟା ପରିବେଶକର୍ମୀ ଦିଶା ରବିଙ୍କ ଗିରଫଦାରୀକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କୃଷକ ଓ କଂଗ୍ରେସ ନେତାମାନେ ମଧ୍ୟ ବିରୋଧ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ କହିଛନ୍ତି ଯେ ଭାରତୀୟ ସୀମାରେ ଚୀନ୍ ଅନୁପ୍ରବେଶ ଅପେକ୍ଷା କୃଷକମାନଙ୍କୁ ସମର୍ଥନ କରୁଥିବା ଟୁଲ୍ କିଟ୍ ଅଧିକ ବିପଜ୍ଜନକ କି? କୃଷକ ନେତା ଦର୍ଶନ ପାଲ କହିଛନ୍ତି ଯେ ଦିଶାଙ୍କୁ ତୁରନ୍ତ ନିଃସର୍ତ୍ତ ମୁକ୍ତ କରାଯିବା ଉଚିତ୍। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜୀ ମୀନା ହାରିସ୍ ମଧ୍ୟ ସୋସିଆଲ ମିଡିଆରେ ସରକାର କାହିଁକି ସାମାଜିକକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଲେଖିଛନ୍ତି।
କୃଷକ ଆନ୍ଦୋଳନକୁ ସମର୍ଥନ କରି ଗ୍ରେଟା ଥନବର୍ଗଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଟୁଲକିଟ୍ ମାମଲାରେ ଦିଶାଙ୍କୁ ରବିବାର ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ସ୍ୱିଡେନର ପରିବେଶ କର୍ମୀ ଗ୍ରେଟା ଏହି ଟୁଲକିଟ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି | ପୋଲିସ ଅଭିଯୋଗ କରିଛି ଯେ ଦିିିଶା ଉକ୍ତ ଟୁଲକିଟର ପ୍ରଥମେ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୫ ଦିନ ପାଇଁ ପୋଲିସ ହାଜତକୁ ପଠାଇଛନ୍ତି। ରବିବାର ଅପରାହ୍ନ ସାଢେ ୪ଟାରେ ପୋଲିସ ତାଙ୍କୁ ସାଇବର ସେଲର ଦ୍ୱାରକା କାର୍ଯ୍ୟାଳୟକୁ ଆଣିଥିଲା। ତାଙ୍କୁ ଏଠାରେ ଅଧିକ ପଚରାଉଚରା କରାଯିବ। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଦିଶା ନିଜେ ଟୁଲକିଟ୍ ଗୁଗୁଲ୍ ଡକରେ ତିଆରି କରି ଏହାର ପ୍ରଚାର କରିଥିଲେ। ଏଥିପାଇଁ ସେ ଏକ ହ୍ବାଟସଆପ୍ ଗ୍ରୁପ୍ କରିଥିଲେ। ସେ ଏହି ଟୁଲକିଟ୍ ପ୍ରସ୍ତୁତ କରିବାରେ ମଧ୍ୟ ସମ୍ପୃକ୍ତ ଥିଲେ |

Comments are closed.