ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବଡ଼ ଘୋଷଣା, ପ୍ରତି ପରିବାରକୁ ମିଳିବ ୪୦୦୦ ଟଙ୍କା କରୋନା ସହାୟତା ରାଶି

ଚେନ୍ନାଇ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସହାୟତା ରାଶି ଭାବେ ରାଜ୍ୟର ପ୍ରତି ପରିବାରକୁ ୪୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏ ସମ୍ବନ୍ଧୀୟ ଆଦେଶନାମାରେ ଷ୍ଟାଲିନ୍ ଦସ୍ତଖତ ବି କରିଛନ୍ତି ।

ଏହି ରାଶି ଦୁଇଟି କିସ୍ତିରେ ଦିଆଯିବ । ଦୁଇ ହଜାର ଟଙ୍କାର ପ୍ରଥମ କିସ୍ତି ଚଳିତ ମାସରେ ପ୍ରଦାନ କରାଯିବ ।

ଷ୍ଟାଲିନ୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଏଣିକି ସବୁ ସରକାରୀ ବୀମାଧାରକଙ୍କ ଘରୋଇ ହସ୍ପିଟାଲରେ କରୋନା ସମ୍ବନ୍ଧୀୟ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଡିଏମକେ ସଭାପତି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଥିଲେ । ତାଙ୍କ ସହିତ ଦଳର ୩୩ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ୩୩ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ପ୍ରଥମ ଥର ମନ୍ତ୍ରୀ ପଦ ପାଇଛନ୍ତି ।

ବିଧାନସଭା ନିର୍ବାଚନରେ ଡିଏମ୍‌କେ ଓ ଏହାର ସହଯୋଗୀ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ । ୨୩୪ ଆସନ ମଧ୍ୟରୁ ଡିଏମ୍‌କେ ୧୩୩ଟି ଆସନରେ ବିଜୟୀ ହୋଇଥିଲା । ତାମିଲନାଡୁରେ ଷଷ୍ଠଥର ପାଇଁ ଡିଏମ୍‌କେର ଜଣେ ନେତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୧୯୬୭ରେ ଡିଏମ୍‌କେ ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇ ଦଳର ପ୍ରଥମ ନେତା ଭାବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ପରେ ଷ୍ଟାଲିନଙ୍କ ବାପା ଏମ୍‌.କରୁଣାନିଧି ଚାରିଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Comments are closed.