ଦିଲ୍ଲୀରେ କୋଭିଡ୍-୧୯ ସ୍ଥିତି ଅତ୍ୟନ୍ତ ଗମ୍ଭୀର କହିଲେ କେଜରିୱାଲ

ନୂଆଦିଲ୍ଲୀ – ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧୦,୭୩୨ ଟି ନୂଆ କରୋନା ମାମଲା ଆସିବା ସହ ସହରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି।

ଆବଶ୍ୟକ ସ୍ଥଳେ ହିଁ ଘରୁ ବାହାରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।
କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କରୋନାର ଚତୁର୍ଥ ଲହରୀ ପୂର୍ବ ଲହରୀ ଅପେକ୍ଷା ଅଧିକ ବିପଜ୍ଜନକ । ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
କିଛି ସପ୍ତାହ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୬ରେ, ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ରୁ କମ୍ ରହୁଥିଲା । ସହରରେ ବର୍ତ୍ତମାନର ମହାମାରୀର ଚତୁର୍ଥ ଲହରୀ ଜାରି ରହିଛି ଏବଂ ଏହା ଅତ୍ୟନ୍ତ ବିପଜ୍ଜନକ । ଏହା ଏତେ ଦ୍ରୁତ ଗତିରେ ବ୍ୟାପିଛି ଯେ ଅନେକ ଲୋକ ଏହାର କବଳିତ ହୋଇଛନ୍ତି ।

ସେ କହିଛନ୍ତି, ଗତ ୧୦-୧୫ ଦିନ ମଧ୍ୟରେ ମାମଲାଗୁଡ଼ିକ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଗତ ୨୫ ଘଣ୍ଟା ମଧ୍ୟରେ ସହରରେ ୧୦,୭୩୨ ନୂଆ ମାମଲା ସାମ୍ନାକୁ ଆସିଛି। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।

ଦିଲ୍ଲୀରେ ମହାମାରୀ ଆରମ୍ଭ ହେବା ପରେ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ମାମଲା। ଏହାପୂର୍ବରୁ ୧୧ ନଭେମ୍ବର ୨୦୨୦ରେ ଦିଲ୍ଲୀରେ ସର୍ବାଧିକ ୮୫୯୩ ମାମଲା ରିପୋର୍ଟ ହୋଇଥିଲା। ସେହି ଦିନ ସହରରେ ମହାମାରୀ କାରଣରୁ ୧୩୧ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହାକି ଗୋଟିଏ ଦିନରେ ସର୍ବାଧିକ ।

Comments are closed.