ଫେବୃଆରୀ ୧ରୁ ମୁମ୍ବାଇରେ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହେବ ଲୋକାଲ ଟ୍ରେନ୍ ସେବା

ମୁମ୍ବାଇ – ଫେବୃଆରୀ ୧ରୁ ମୁମ୍ବାଇରେ ସାଧାରଣ ଲୋକଙ୍କ ପାଇଁ ପୁଣି ଲୋକାଲ ଟ୍ରେନ୍ ସେବା ଆରମ୍ଭ ହେବ । ଲୋକାଲ ଟ୍ରେନ୍ ଦୁଇଟି ସିଫ୍ଟରେ ଚାଲିବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ୧୨ ଟା ଏବଂ ଦ୍ୱିତୀୟଟି ଅପରାହ୍ନ ୪ ଟାରୁ ରାତି ୯ଟା ଯାଏଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ କିଛି ଲୋକାଲ ଟ୍ରେନ୍ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଚାଲୁଥିଲା ।

ଅନ୍ୟପକ୍ଷେ ବୃଦ୍ଧି ପାଉଥିବା କୋଭିଡ -୧୯ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଫେବୃଆରୀ ୨୮ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ଇ ଦେଇଛନ୍ତି । ତେବେ ଆଗରୁ ଯାହା ସବୁ କଟକଣା କୋହଳ କରାଯାଇଥିଲା, ତାହା ଏବେ ମଧ୍ୟ ଜାରି ରହିବ। ଅର୍ଥାତ୍ ଲୋକମାନେ ନିଜ ଅଫିସକୁ ଯାଇପାରିବେ । ସମସ୍ତ ବଜାର ଏବଂ ଶିଳ୍ପ ଖୋଲିବ । ରାତି ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ବାହାରକୁ ଆସିବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ । ଅଧିକ ରିସ୍କ ଥିବା ଲୋକଙ୍କୁ କେବଳ ଆବଶ୍ୟକ ସମୟରେ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି ।

Comments are closed.