ବାଜପେୟୀଙ୍କ ଝିଆରି ଓ ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କ କରୋନାରେ ଦେହାନ୍ତ

ରାୟପୁର : କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କ ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମିତ ଥିଲେ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଝିଆରି ଥିଲେ ।

୭୦ ବର୍ଷୀୟା କରୁଣା ଶୁକ୍ଲା ୧୪ତମ ଲୋକସଭାରେ ଜାଞ୍ଜଗିର ଚାମ୍ପା ଆସନରୁ ସାଂସଦ ଥିଲେ । ସେ ୨୦୧୩ରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ବିଜେପି ସହ ୨୩ ବର୍ଷର ସମ୍ପର୍କ ତୁଟାଇବା ପରେ ଶୁକ୍ଲା ୨୦୧୪ ସାଧାରଣ ନିର୍ବାଚନରେ ବିଳାସପୁର ଆସନରୁ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ । ହେଲେ ସେ ବିଜେପିର ଲଖନ ଲାଲ ସାହୁଙ୍କ ଠାରୁ ହାରିଯାଇଥିଲେ । ୨୦୧୮ରେ ସେ ରାଜନନ୍ଦନଗାଓଁ ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଶୁକ୍ଲାଙ୍କ ଦେହାନ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ ଶୋକ ପ୍ରକାଶ କରିଛନ୍ତି । କରୋନା ମୋ’ ଠାରୁ ମୋର ମାଉସୀଙ୍କୁ ଛଡ଼ାଇ ନେଇଗଲା । ମୁଁ କିନ୍ତୁ ତାଙ୍କ ଆଶୀର୍ବାଦ ପାଉଥିବି ବୋଲି ବାଘେଲ ହିନ୍ଦୀରେ ଟ୍ୱିଟ୍ କରି କହିଛନ୍ତି ।

Comments are closed.