ଲୋନ୍ ମୋରାଟୋରିୟମ୍ ଅବଧି ବଢ଼ାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଲୋନ୍ ମୋରାଟୋରିୟମ୍ ବଢ଼ାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଲୋନ୍ ମୋରାଟୋରିୟମ୍ ଅବଧି ଆଉ ବୃଦ୍ଧି କରାଯିବ ନାହିଁ । ସମ୍ପୂର୍ଣ୍ଣ ସୁଧ ଛାଡ଼ ମଧ୍ୟ ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ କୋର୍ଟ ଶିଳ୍ପ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସୁଧ ଉପରେ ସୁଧ ଆଦାୟ ନ କରିବାକୁ ତିନି ଜଣିଆ ସୁପ୍ରିମକୋର୍ଟ ଖଣ୍ଡପୀଠ ଆଦେଶ ଦେଇଛନ୍ତି । ଏହା ପୂର୍ବରୁ କେବଳ ୨ କୋଟି ଯାଏଁ ଋଣ ଉପରେ ଏହି ରିହାତି ଦିଆଯାଇଥିଲା ।

ବଡ଼ ବଡ଼ ରିୟଲ ଇଷ୍ଟେଟ୍ ସଂସ୍ଥା କରୋନା ସଙ୍କଟ କାଳରେ ନିଜର ଦୁର୍ବଳ ଆର୍ଥିକ ସ୍ଥିତି ଦର୍ଶାଇ ଋଣ ଉପରେ ରିହାତି ଦେବାକୁ ଦାବି କରିଥିଲେ । ଜଷ୍ଟିସ୍ ଅଶୋକ ଭୂଷଣ, ଏମ୍‌ଆର ଶାହ ଏବଂ ଆର.ସୁଭାଷ ରେଡୀଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ବିଶେଷ ରିହାତି ପ୍ରଦାନ କରିବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ, ସରକାରଙ୍କ ଆର୍ଥିକ ନୀତିରେ ଆମେ ହସ୍ତକ୍ଷେପ କରିପାରିବୁ ନାହିଁ । ଏଥିପାଇଁ ସରକାରଙ୍କ ନିଜସ୍ୱ ବିଶେଷଜ୍ଞ ଅଛନ୍ତି । ସେମାନେ ସ୍ଥିତି ଦେଖି ନିଷ୍ପତ୍ତି ନେଇଥାନ୍ତି । କୋଭିଡ୍ ସମୟରେ ସରକାର ମଧ୍ୟ ଅଧିକ କ୍ଷତି ସହିଛନ୍ତି ।

କୋର୍ଟ ମୋରାଟୋରିୟମ ଅବଧିକୁ ୩୧ ଅଗଷ୍ଟରୁ ଆଗକୁ ବଢ଼ାଇବା ପାଇଁ ମନା କରିଦେଇଛନ୍ତି । ଏହାଛଡ଼ା ସମ୍ପୂର୍ଣ୍ଣ ସୁଧ ଛାଡ଼ କରିବା ସମ୍ଭବ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଭଳି କରାଗଲେ ବ୍ୟାଙ୍କ ମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି କୋର୍ଟ କହିଛନ୍ତି ।

Comments are closed.