ହୋଟେଲ ରୁମ୍‌ରୁ ମିଳିଲା ଦାଦରା ଓ ନଗର ହବେଲି ସାଂସଦଙ୍କ ମୃତଦେହ

ମୁମ୍ବାଇ – ଦାଦରା ଓ ନଗର ହବେଲିର ଲୋକସଭା ସାଂସଦ ମୋହନ ଡେଲକରଙ୍କ ମୃତଦେହ ଆଜି ମୁମ୍ବାଇର ଏକ ହୋଟେଲରୁ ଉଦ୍ଧାର କରାଯାଇଛି । ୫୮ ବର୍ଷୀୟ ଡେଲକର କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଓ ନଗର ହବେଲିରୁ ସାତଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଆଜି ଦକ୍ଷିଣ ମୁମ୍ବାଇର ମେରିନ୍ ଡ୍ରାଇଭ୍ ନିକଟସ୍ଥ ଏକ ହୋଟେଲରୁ ତାଙ୍କର ମୃତଦେହ ମିଳିଥିଲା । ଡେଲକରଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡେଲକରଙ୍କ ହୋଟେଲ ରୁମ୍‌ରୁ ଗୁଜୁରାଟୀରେ ଲେଖା ଯାଇଥିବା ଏକ ସୁଇସାଇଡ୍ ନୋଟ୍ ମିଳିଛି । ତେବେ ପୋଲିସ୍ ଏନେଇ କିଛି କହିବାକୁ ମନା କରିଦେଇଛି । ପୋଲିସ ଶବକୁ ଜବତ କରି ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଡେଲକର ନିଜର କିଛି ବ୍ୟକ୍ତିଗତ କାମ ପାଇଁ ମୁମ୍ବାଇ ଆସିଥିଲେ । ତାଙ୍କର କିଛି ସମର୍ଥକ ପ୍ରଥମେ ଡେଲକରଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପୋଲିସକୁ ସୂଚନା ଦେଇଥିଲେ ।
ଡେଲକର ମେ’ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଏବଂ ସପ୍ତମ ଥର ପାଇଁ ଦାଦର ଓ ନଗର ହବେଲିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଡେଲକର ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ବି ଥିଲେ ।

Comments are closed.