ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ମିଳିଲାଣି ୨୨୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ – ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମମନ୍ଦିର ପାଇଁ ଏ ଯାବତ୍ ୨୨୦୦ କୋଟି ଦାନ ଅର୍ଥ ସଂଗ୍ରହ କରାଯାଇଛି । ବ୍ୟୟ ଅଟକଳ ଠାରୁ ଦେଢ ଼ଗୁଣ ଅଧିକ ଚାନ୍ଦା ମିଳିଛି । ରାମମନ୍ଦିର ନିର୍ମାଣ ସକାଶେ ପ୍ରଥମେ ୧୧୦୦ କୋଟି ଖର୍ଚ୍ଚ ହେବ ବୋଲି ମନେ କରାଯାଉଥିଲା । ତେବେ ନିର୍ମାଣ ଯୋଜନାରେ ପରିବର୍ତ୍ତନ ପରେ ବ୍ୟୟ ଅଟକଳ ରାଶି ୧୫୦୦ କୋଟି ଧାର୍ଯ୍ୟ କରାଯାଇଥିଲା । ଏହି ପରିମାଣ ଠାରୁ ଢ଼େର ଅଧିକ ଅର୍ଥ ଦାନ ଆକାରରେ ମିଳିଛି ।
ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଜାନୁୟାରୀ ୧୫ରୁ ରାମମନ୍ଦିର ନିର୍ମାଣ ସକାଶେ ଦେଶବ୍ୟାପୀ ଦାନ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା । ୪୪ ଦିନରେ ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଯେଉଁ ରାଜ୍ୟଗୁଡିକରେ ଏହି ଅଭିଯାନ ବିଳମ୍ବରେ ଆରମ୍ଭ ହୋଇଥିଲା । ଏବେ ବି ସେହି ରାଜ୍ୟ ଗୁଡିକରେ ଚାନ୍ଦା ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ଦାନ ପରିମାଣ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରିଙ୍କ କହିବା ଅନୁସାରେ ଭବିଷ୍ୟତରେ ନୂଆ ଯୋଜନା ହିସାବରେ ବ୍ୟୟ ବୃଦ୍ଧି ହୋଇପାରେ । ଯଦି ଏମିତି ହୁଏ, ତେବେ ପୁଣିଥରେ ଚାନ୍ଦା ଆଦାୟ ଅଭିଯାନ ଆରମ୍ଭ କରାଯିବ ।

ରାମମନ୍ଦିର ପାଇଁ ବିଦେଶରୁ ବି ଅର୍ଥ ସଂଗ୍ରହ କରାଯାଉଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଜଣେ ସଦସ୍ୟ ଡ.ଅନିଲ ମିଶ୍ର କହିଛନ୍ତି ଯେ, ରାମମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଅଭିଯାନ କେବଳ ନିର୍ଦ୍ଦିଷ୍ଟ ଜାତି, ଧର୍ମ, ସମ୍ପ୍ରଦାୟରେ ସୀମିତ ରହିନାହିଁ । ସବୁ ଜାତି, ଧର୍ମ ଓ ସମ୍ପ୍ରଦାୟର ଲୋକ ରାମମନ୍ଦିର ପାଇଁ ଅର୍ଥ ଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକ ଅଛନ୍ତି ବୋଲି ସେ କହିଛନ୍ତି ।

Comments are closed.