ଦୁବାଇ – ଟିମ୍ ଇଣ୍ଡିଆ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫେବୃୟାରୀ ମାସ ପାଇଁ ଆଇସିସିର ପ୍ଲେୟାର୍ ଅଫ୍ ଦି ମନ୍ଥ ବିବେଚିତ ହୋଇଛନ୍ତି । ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଭାରତ ଏହି ସିରିଜକୁ ୩-୧ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ।
ଇଂଲଣ୍ଡ ବିପକ୍ଷ ତିନି ଟେଷ୍ଟ (ଫେବୃୟାରୀ)ରେ ଅଶ୍ୱିନ ଉଭୟ ବ୍ୟାଟ୍ ଓ ବଲ୍ ରେ ଚମକ ଦେଖାଇଥିଲେ । ଚେନ୍ନାଇରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏକ ଚାଲେଞ୍ଜିଂ ପିଚ୍ ରେ ଅଶ୍ୱିନ୍ ଚମତ୍କାର ୧୦୬ ରନ୍ କରି ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ତଥା ପିଙ୍କ୍ ବଲ୍ ଟେଷ୍ଟରେ ଅଶ୍ୱିନ ୪୦୦ ୱିକେଟ୍ ମାଇଲଖୁଣ୍ଟ ଛୁଇଁଥିଲେ । ଇଂଲଣ୍ଡ ବିପକ୍ଷ ତିନି ଟେଷ୍ଟରେ ସେ ଗୋଟିଏ ଶତକ ସହ ୨୪ ୱିକେଟ୍ ହାସଲ କରିଥିଲେ । ତାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନ ଭାରତକୁ ଏହି ସିରିଜ ୩-୧ରେ ଜିତିବାରେ ସହାୟକ ହୋଇଥିଲା । ଏହି ସିରିଜ୍ ବିଜୟ ସହ ଭାରତ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ନିଶ୍ଚିତ କରିଛି । ଜୁନରେ ସାଉଥମ୍ପଟନରେ ହେବାକୁ ଥିବା ଫାଇନାଲରେ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ ।
ଫେବୃୟାରୀ ପାଇଁ ‘ପ୍ଲେୟାର ଅଫ୍ ଦି ମନ୍ଥ’ ଦୌଡ଼ରେ ଅଶ୍ୱିନଙ୍କ ବ୍ୟତୀତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ୱେଷ୍ଟଇଣ୍ଡିଜର ଉଦୀୟମାନ ବ୍ୟାଟ୍ସମ୍ୟାନ୍ କାଇଲ୍ ମାୟେର୍ସ ଥିଲେ । ରୁଟ୍ ଭାରତ ବିପକ୍ଷ ତିନୋଟି ଟେଷ୍ଟରେ ୩୩୩ ରନ୍ ସହ ୬ ୱିକେଟ୍ ନେଇଥିଲେ । ଅନ୍ୟପକ୍ଷେ ମାୟେର୍ସ ବାଂଲାଦେଶ ବିପକ୍ଷ ପ୍ରଥମ ତଥା ନିଜ ପଦାର୍ପଣ ଟେଷ୍ଟର ଦ୍ୱିତୀୟ ଇନିଂସରେ ଚମତ୍କାର ୨୧୦ ରନ କରିଥିଲେ । ମାୟେର୍ସଙ୍କ ଏହି ଅପରାଜିତ ଦ୍ୱିଶତକ ବଳରେ ୱେଷ୍ଟଇଣ୍ଡିଜ୍ ୩୯୫ ରନର ବିଜୟଲକ୍ଷ୍ୟକୁ ସଫଳଚାର ସହ ଚେଜ୍ କରି ବାଂଲାଦେଶକୁ ସ୍ତବ୍ଧ କରିଦେଇଥିଲା ।
ମହିଳା ବର୍ଗରେ ଇଂଲଣ୍ଡର ଟାମି ବ୍ୟୁମୋଣ୍ଟ ଫେବୃୟାରୀ ମାସ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
Comments are closed.