ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟ ପରେ ୬ କ୍ରିକେଟରଙ୍କୁ ଏସ୍‌ୟୁଭି ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟ ପରେ ଯୁବ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିଛି । ବିଶେଷକରି ଯୁବ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ବିସିସିଆଇ ଭାରତୀୟ ଦଳ ଲାଗି ୫ କୋଟି ପୁରସ୍କାର ଘୋଷଣା କରିସାରିଛି । ଏବେ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ଭାରତୀୟ ଦଳର ୬ ଜଣ ଯୁବ ଖେଳାଳିଙ୍କ ଲାଗି ପୁରସ୍କାର ଘୋଷଣା କରିଛନ୍ତି । ମହମ୍ମଦ ସିରାଜ, ଟି.ନଟରାଜନ, ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି ଓ ଶୁବମନ ଗିଲଙ୍କୁ ଦାମୀ ଏସୟୁଭି କାର୍ ଉପହାର ଦେବେ ବୋଲି ମହିନ୍ଦ୍ରା କହିଛନ୍ତି । ଏହି ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରାର ନୂଆ ମଡେଲ୍ ‘ଥର୍‌-ଏସ୍‌ୟୁଭି’ ଦିଆଯିବ । ଏହି କାର୍ ର ବଜାର ମୂଲ୍ୟ ୧୨.୫୦ ଲକ୍ଷ ।

ଭାରତ ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ରୋମାଞ୍ଚକର ତିନି ୱିକେଟରେ ବିଜୟ ହାସଲ କରିବା ସହ ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆର ୩୨ ବର୍ଷର ଅପରାଜେୟ ଧାରା ଭାଙ୍ଗି ସିରିଜ୍ ୨-୧ରେ ଜିତିଥିଲା । ଆଘାତ ସମସ୍ୟ ଯୋଗୁଁ ଅଧାରୁ ଅଧିକ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଦଳ ଅସମ୍ଭବକୁ ସମ୍ଭବ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲା । ବ୍ରିସବେନରେ ଅଷ୍ଟ୍ରେଲିଆ ଶେଷଥର ୧୯୮୮ରେ ଏକ ଟେଷ୍ଟ ହାରିଥିଲା ।

ଭାରତର ଉକ୍ତ ଐତିହାସିକ ଉପଲବ୍ଧିକୁ ପ୍ରଶଂସା କରି ମହିନ୍ଦ୍ରା ଟ୍ୱିଟ କରିଛନ୍ତି ଯେ, ୬ ଜଣ ଯୁବ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ସିରିଜରେ ଡେବ୍ୟୁ କରିଥିଲେ (ବ୍ରିସବେନ ଶାର୍ଦ୍ଦୁଲଙ୍କ ଦ୍ୱିତୀୟ ଟେଷ୍ଟ ଥିଲା) । ସେମାନେ ଭାରତର ଭବିଷ୍ୟତ ପିଢି ପାଇଁ ଏକ ଉଦାହରଣ ସୃଷ୍ଟି କରି ପ୍ରମାଣିତ କରିଛନ୍ତି ଯେ, ଅସମ୍ଭବକୁ ବି ସମ୍ଭବ କରିହେବ । ମହିନ୍ଦ୍ରା ଟ୍ୱିଟ କରି କହିଛନ୍ତି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଯୁବ ଖେଳାଳିମାନଙ୍କ ଉଦୟ ହେବାର ସତ କାହାଣୀ ଆମେ ଅଷ୍ଟ୍ରେଲିଆରେ ଦେଖିଲେ । ସେମାନେ ଜୀବନର ସବୁ କ୍ଷେତ୍ରରେ ଆମ ପାଇଁ ପ୍ରେରଣା ସାଜିଛନ୍ତି । ଏହି ଯୁବ ଖେଳାଳିଙ୍କୁ ନୂଆ ‘ଥର୍‌-ଏସୟୁଭି’ କାର ଉପହାର ସ୍ୱରୂପ ପ୍ରଦାନ କରି ମୁଁ ବେଶ୍ ଖୁସି ।

Comments are closed.