ଆଇପିଏଲ୍‌ରେ ପଶିଲା କରୋନା: ଦୁଇ ଖେଳାଳି ପଜିଟିଭ୍ ପରେ କେକେଆର୍‌-ଆରସିବି ମ୍ୟାଚ୍ ସ୍ଥଗିତ

ଅହମ୍ମଦାବାଦ: ବାୟୋ ବବଲ ଭେଦ କରି କରୋନା ଆଇପିଏଲ୍‌ରେ ପ୍ରବେଶ କରିଛି । କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା କେକେଆର-ଆରସିବି ମ୍ୟାଚକୁ ସ୍ଥଗିତ ରଖାଯାଇଛି । କେକେଆର୍ ତରଫରୁ ଜାରି ଏକ ପ୍ରେସ୍ ବିବୃତିରେ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତି ଏବଂ ସନ୍ଦୀପ ୱାରିୟରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସ୍ପଷ୍ଟ କରାଯାଇଛି ।
ଦୁଇ କୋଭିଡ୍ ପଜିଟିଭ୍ ଖେଳାଳିଙ୍କୁ ଆଇସୋଲେଟ୍ କରାଯାଇଛି । ଦଳର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଅଛି । ପ୍ରତିଦିନ ଖେଳାଳିଙ୍କ କୋଭିଡ୍ ଟେଷ୍ଟ ହେବ ବୋଲି ଦଳ ତରଫରୁ କୁହାଯାଇଛି ।

କିଛି ଗଣମାଧ୍ୟମ ରିପୋର୍ଟରେ ଦଳର ଷ୍ଟାର ପେସର ପ୍ୟାଟ୍ କମିନ୍ସଙ୍କ ସହ ଅନ୍ୟ ପାଞ୍ଚ ଖେଳାଳି ମଧ୍ୟ ଅସୁସ୍ଥ ଥିବା କୁହାଯାଇଛି । ତେବେ ଏନେଇ କେକେଆର୍ ଓ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । କେକେଆର-ଆରସିବି ମ୍ୟାଚ୍‌ର ନୂଆ ତାରିଖ ପରେ ଘୋଷଣା କରାଯିବ । ତେବେ କେକେଆର୍ ଦଳରେ ପଜିଟିଭ୍ ମାମଲା ବିସିସିଆଇର ଚିନ୍ତା ବଢ଼ାଇଛି । ଯଦି ଅନ୍ୟ ଦଳ ଏଥିରେ ପ୍ରଭାବିତ ହୁଅନ୍ତି, ତେବେ ଟୁ୍‌ର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

କିଛି ଦିନ ତଳେ ବରୁଣ ଚକ୍ରବର୍ତ୍ତି ନିଜ କାନ୍ଧର ସ୍କାନିଂ ପାଇଁ ଏକ ହସ୍ପିଟାଲକୁ ଯାଇଥିଲେ । ସେଠାରେ ବୋଧେ ସେ କରୋନା ଭାଇରସ୍ ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

କରୋନାର ଭୟାବହ ଦ୍ୱିତୀୟ ଲହରୀ ମଧ୍ୟରେ ଆଇପିଏଲ୍ ଦେଶର କିଛି ହଟ୍‌ସ୍ପଟ୍ ଭେନ୍ୟୁରେ ଖେଳାଯାଉଛି । ସଂକ୍ରମଣ ଆଶଙ୍କାରେ ଅଷ୍ଟ୍ରେଲିଆର ତିନି ଖେଳାଳି ଆଣ୍ଡ୍ରିୟୁ ଟାଏ, ଆଡାମ୍ ଜାମ୍ପା ଏବଂ କେନ୍ ରିଚାର୍ଡସନ୍ ନିକଟରେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ । ଦେଶରେ କୋଭିଡ୍ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ଆଇପିଏଲ୍ ଜାରି ରହିବା ନେଇ ମଧ୍ୟ କିଛି ମହଲରୁ ପ୍ରଶ୍ନ ଉଠିଛି ।

Comments are closed.