ଆଇପିଏଲ୍‌: ଶେଷରେ ବିଜୟ ଖାତା ଖୋଲିଲା ହାଇଦ୍ରାବାଦ

ଚେନ୍ନାଇ: ଜିତିବା ସ୍ଥିତିରୁ କ୍ରମାଗତ ତିନୋଟି ମ୍ୟାଚ୍ ହାରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଶେଷରେ ବିଜୟ ଖାତା ଖୋଲିଛି । ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ଶାଣିତ ବୋଲିଂ ଏବଂ ଜନି ବେୟାରଷ୍ଟୋଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ୯ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି । ଏହି ପ୍ରତୀକ୍ଷିତ ବିଜୟ ସହ ହାଇଦ୍ରାବାଦ ନିଜର କ୍ରମାଗତ ତିନି ମ୍ୟାଚ୍ ପରାଜୟ ଧାରା ଭାଙ୍ଗିଛି । ଅନ୍ୟପକ୍ଷେ ପଞ୍ଜାବର ଏହା ଲଗାତର ଦ୍ୱିତୀୟ ପରାଜୟ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୯.୪ ଓଭରରେ ମାତ୍ର ୧୨୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ହାଇଦ୍ରାବାଦ ପେସର ଖଲିଲ ଏବଂ ସ୍ପିନର ଅଭିଷେକ ଶର୍ମାଙ୍କ ଆଗରେ ପଞ୍ଜାବ ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରିଥିଲେ । ଖଲିଲ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ୨ଟି ୱିକେଟ୍ ହାସଲ କରିଥିଲେ । ସିନିୟର ପେସର ଭୁବନେଶ୍ୱର କୁମାର, ଷ୍ଟାର ଆଫଗାନ ସ୍ପିନର ରସିଦ ଖାନ ଏବଂ ସିଦ୍ଧାର୍ଥ କୌଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୨୧ ରନର ବିଜୟଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୮.୪ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଦଳ ତରଫରୁ ବେୟାରଷ୍ଟୋ ୫୬ ବଲରେ ୩ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଅପରାଜିତ ୬୩ ରନ୍ କରିଥିବା ବେଳେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ୩୭ ରନ୍ କରିଥିଲେ । ଚଳିତ ଆଇପିଏଲରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା କେନ୍ ୱିଲିୟମସନ ୧୬ ରନ୍ କରି ଅପରାଜିତ ଥିଲେ ।

ହାଇଦ୍ରାବାଦ ପକ୍ଷରୁ ପୁଣି ୱାର୍ଣ୍ଣର-ବେୟାରଷ୍ଟୋ ଯୋଡି ଦଳକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟରେ ୬୦ ବଲରୁ ୭୩ ରନ୍ ଯୋଗକରି ଦଳର ବିଜୟ ପାଇଁ ଦୃଢ ମୂଳଦୁଆ ପକାଇଥିଲେ । ଏକାଦଶତମ ଓଭରରେ ୱାର୍ଣ୍ଣରଙ୍କୁ ଆଉଟ୍ କରି ଫାବିଏନ ଆଲେନ୍ ଏହି ଯୋଡି ଭାଙ୍ଗିଥିଲେ । ୱାର୍ଣ୍ଣରଙ୍କ ୱିକେଟ୍ ପରେ ହାଇଦ୍ରାବାଦ କିନ୍ତୁ ଗତ ତିନି ମ୍ୟାଚ୍ ଭଳି ଦିଗହରା ନ ହୋଇ ବିଜୟଲକ୍ଷ୍ୟରେ ପହଞ୍ଚିବାରେ ସଫଳ ହୋଇଥିଲା । ବେୟାରଷ୍ଟୋ ଓ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନ ଔପଚାରିକତା ପୂରଣ କରିଥିଲେ । ବେୟାରଷ୍ଟୋ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚ୍ ଭଳି ପଞ୍ଜାବର ବ୍ୟାଟିଂ ଲାଇନ୍ ଅପ୍ ପୁଣି ଫେଲ୍ ମାରିଥିଲା । ରାହୁଲ ମାତ୍ର ୪ ରନ୍ କରି ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ପରେ ମୟଙ୍କ ଅଗ୍ରୱାଲ (୨୨) ଏବଂ ନିକୋଲସ୍ ପୁରାନ୍ (୦) ବି ଶୀଘ୍ର ପ୍ୟାଭିଲିୟନ୍ ଫେରିଥିଲେ । କ୍ରିସ୍ ଗେଲ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ । ଖଲିଲ୍ ଓ ଅଭିଷେକ ଶର୍ମାଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ପଞ୍ଜାବ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଥିଲେ । ନିୟମିତ ୱିକେଟ୍ ହରାଇବା ଦ୍ୱାରା ପଞ୍ଜାବର ବଡ଼ ସ୍କୋର କରିବା ଆଶା ମଉଳି ଯାଇଥିଲା । ଦଳ ମାତ୍ର ୧୯.୪ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଥିଲା ।

Comments are closed.