ଆଇପିଏଲ୍: ଚହରଙ୍କ ଘାତକ ବୋଲିଂ, ପଞ୍ଜାବ କିଙ୍ଗ୍‌ସକୁ ହରାଇ ଖାତା ଖୋଲିଲା ସୁପରକିଙ୍ଗ୍‌ସ

ମୁମ୍ବାଇ – ରାହୁଲ ଚହରଙ୍କ ଘାତକ ବୋଲିଂ ବଳରେ ଶୁକ୍ରବାର ଏଠାରେ ଖେଳାଯାଇଥିବା ଆଇପିଏଲ-୧୪ର ଏକ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍‌ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ହରାଇଛି । ଦଳ ପାଇଁ ୨୦୦ତମ ମ୍ୟାଚ୍ ଖେଳୁଥିବା ଅଧିନାୟକ ଧୋନିଙ୍କୁ ବିଜୟ ଉପହାର ଦେବା ସହ ସୁପରକିଙ୍ଗ୍‌ସ ଚଳିତ ଟୁର୍ଣ୍ଣାମେଣ୍ଟରେ ପଏଣ୍ଟ ଖାତା ଖୋଲିଛି ।

ପଞ୍ଜାବ କିଙ୍ଗ୍‌ସ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇଥିଲା । ହେଲେ ରାହୁଲ ଚହରଙ୍କ ଘାତକ ସୁଇଙ୍ଗ୍ ବୋଲିଂରେ ପଞ୍ଜାବର ଟପ୍ ଅର୍ଡର ଘାଇଲା ହୋଇଥିଲେ । ଦଳ ନିୟମିତ ୱିକେଟ୍ ହରାଇ ୮ ୱିକେଟ ବିନିମୟରେ କେବଳ ୧୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ପଞ୍ଜାବ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ ଖାନ୍‌ ଏକାକୀ ଲଢ଼ିଥିବା ବେଳେ ଅନ୍ୟ ସବୁ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ଦଳ ତରଫରୁ ଶାହରୁଖ ସର୍ବାଧିକ ୪୭ ରନ୍‌ କରିଥିଲେ । ଚେନ୍ନାଇ ପକ୍ଷରୁ ଦ୍ରୁତ ବୋଲର ଦୀପକ ଚହର ୪ ଓଭର୍‌ରେ  ମାତ୍ର ୧୩ ରନ୍‌ ଦେଇ ୪ଟି ୱିକେଟ ନେଇଥିଲେ ।

୧୦୭ ରନର ବିଜୟଲକ୍ଷ୍ୟ ଜବାବରେ ଚେନ୍ନାଇ ୨୬ଟି ବଲ୍ ବାକିଥାଇ ଏବଂ ମାତ୍ର ୪ ୱିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଥିଲା । ଦଳ ତରଫରୁ ମୋଇନ ଅଲ୍ଲୀ ମାତ୍ର ୩୧ ବଲରେ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୪୬ ରନ୍ କରିଥିବା ବେଳେ ଫାଫ ଡୁ’ପ୍ଲେସିସ ୩୬ ରନ୍ କରି ଅପରାଜିତ ରହିଥିଲେ । ଋତୁରାଜ ଗାଏକ୍ୱାଡ (୫), ସୁରେଶ ରାଇନା (୮) ଓ ଅମ୍ବାତି ରାୟୁଡୁ (୦) ଶସ୍ତାରେ ଆଉଟ୍ ହୋଇଥିଲେ ହେଁ ଚେନ୍ନାଇର ଚେଜ୍ କୌଣସି ପ୍ରକାର ପ୍ରଭାବିତ ହୋଇନଥିଲା ।

ପୂର୍ବରୁ ଟସ୍‌ ଜିତି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ମ୍ୟାଚ୍‌ରେ ହାରିଥିବା ଚେନ୍ନାଇ ଏଥର କିନ୍ତୁ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ ଓଭରରେ ହିଁ ମୟଙ୍କ ଅଗ୍ରୱାଲ ଖାତା ଖୋଲିବା ପୂର୍ବରୁ ଚହର ତାଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ।

ଏହାପରେ କେଏଲ ରାହୁଲ(୫) ରନ୍‌ ଆଉଟ ହୋଇଥିଲେ। କ୍ରିସ ଗେଲ୍‌ (୧୦), ଦୀପକ ହୁଡ୍ଡା(୧୦) ଓ ନିକୋଲସ ପୁରନ(୦)ଙ୍କୁ ଆଉଟ କରି ଦୀପକ ଚହର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୨୬ ରନ୍‌ରେ ୫ଟି ୱିକେଟ ହରାଇ ପଞ୍ଜାବ ସଙ୍କଟରେ ପଡ଼ିଥିଲା। ଚେନ୍ନାଇ ମଧ୍ୟ ଏହାର ସୁଯୋଗ ନେଇ ଚାପ ସୃଷ୍ଟି କରିଥିଲା।
ତେବେ ଝାଏ ରିଜାର୍ଡସନ ଓ ଶାହରୁଖ କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୫୭ରେ ପହଞ୍ଚାଇଥିଲେ। ହେଲେ ମୋଇନ ଅଲୀ ୧୫ ରନ୍‌ କରିଥିବା ରିଚାର୍ଡସନଙ୍କୁ ଆଉଟ କରି ପଞ୍ଜାବର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଗୋଟିଏ ପଟେ ଶାହରୁଖ ଲଢ଼େଇ କରି ବଡ଼ ବଡ଼ ଶଟ୍‌ ଖେଳୁଥିଲେ ହେଁ ଅନ୍ୟପଟେ ତାଙ୍କର ସାଥ କେହି ବି ଦେଇ ନଥିଲେ।
ମୁର୍ଗାନ ଅଶ୍ୱିନ(୬)ଙ୍କ ସହ ସେ ପ୍ରଥମେ ୩୦ ରନ୍‌ ଯୋଡ଼ିଥିଲେ। ଏହାପରେ ମହମ୍ମଦ ଶାମି(୯ ଅପରାଜିତ)ଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ଶେଷ ଓଭ୍‌ରେ ସେ ବଡ଼ ଶଟ୍‌ ଖେଳିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସାମ କୁରାନଙ୍କ ପ୍ରଥମ ବଲ୍‌ରେ ହିଁ ଶାହରୁଖ ୪୭ ରନ୍‌ କରି ଆଉଟ ହୋଇଯାଇଥିଲେ। ୩୬ ବଲ୍‌ରେ ୪୭ ରନ୍‌ କରିଥିବା ଶାହରୁଖ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ତାଙ୍କୁ ଯୋଗୁ ପଞ୍ଜାବ ଶେଷରେ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
ଚେନ୍ନାଇ ପକ୍ଷରୁ ଚହର ୪ଟି ୱିକେଟ ନେଇଥିବା ବେଳେ ସାମ କୁରାନ, ଡ୍ୱେନ ବ୍ରାଭୋ ଓ ମୋଇନ ଅଲୀ ଗୋଟିଏ ଲେଖାଲ ୱିକେଟ ପାଇଥିଲେ ।

Comments are closed.