ଆଇପିଏଲ୍: ଧୋନିଙ୍କୁ ହରାଇଲେ ପନ୍ତ

ମୁମ୍ବାଇ – ଗୁରୁ-ଶିଷ୍ୟ ଲଢେଇରେ ଶିଷ୍ୟ ବାଜି ମାରିନେଇଛନ୍ତି । ଅଧିନାୟକ ଭାବେ ନିଜ ଡେବ୍ୟୁରେ ରିଷଭ ପନ୍ତ ସଫଳ ହୋଇଛନ୍ତି । ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇ ଅଭିଯାନ ଆରମ୍ଭ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା । ହେଲେ ପୃଥ୍ୱୀ ଶ’ ଓ ଶିଖର ଧାୱନଙ୍କ ଧମାକାଦାର ଇନିଂସ୍ ଓ ଓପନିଂ ଭାଗିଦାରୀ ବଳରେ ଦିଲ୍ଲୀ ୮ ବଲ୍ ବାକିଥାଇ ମ୍ୟାଚ୍ ଜିତିନେଇଥିଲା । ଶ’ ମାତ୍ର ୩୮ ବଲରେ ୯ଟି ଚୌକା ଓ ୩ଟି ଛକା ବଳରେ ଧୂଆଁଧାର ୭୨ ରନ୍ କରିଥିବା ବେଳେ ଧାୱନ୍ ୫୪ ବଲରେ ୧୦ଟି ଚୌକା ଓ ୨ଟି ଛକା ସହ ୮୫ ରନ୍ କରିଥିଲେ । ଏ ଦୁହେଁ ପ୍ରଥମ ୱିକେଟରେ ୧୩୮ ରନ ଯୋଗକରି ଦଳର ବିଜୟ ସହଜ କରିଥିଲେ । ଅଧିନାୟକ ପନ୍ତ ୧୫ ରନ୍ କରି ଅପରାଜିତ ରହିଥିବା ବେଳେ ମାର୍କସ ଷ୍ଟୋଇନିସ୍ ୧୪ ରନ୍ କରିଥିଲେ ।

ଟସ୍‌ ଜିତି ମୁମ୍ବାଇର ୱାଙ୍ଖଡେରେ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ୍‌ ସାବ୍ୟସ୍ତ କରି କ୍ରିସ୍‌ ୱିକ୍ସ ଓ ଯୁବ ତାରକା ଅଭେଶ ଖାନ୍‌ ୭ ରନ୍‌ ଭିତରେ ଚେନ୍ନାଇର ଦୁଇ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଜାତୀୟ ଦଳରେ ନିମ୍ନକ୍ରମରେ ବ୍ୟାଟିଂ କରୁଥିବା ମୋଇନ ଅଲୀ ଆଜି ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କ ସହ କ୍ରିଜ୍‌ରେ ରହିଥିଲେ ସୁରେଶ ରାଇନା।
ଉଭୟ ଦିଲ୍ଲୀ ବୋଲରଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ମୋଇନ ଅଲୀ ବଡ଼ବଡ଼ ଶଟ୍‌ ଖେଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିବା ପରେ ମୋଇନ ୩୬ ରନ୍‌ କରି ରବି ଅଶ୍ୱିନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ରାଇନାଙ୍କ ଜଲୱା। ସେ ରବି ଅଶ୍ୱିନଙ୍କୁ ଛକା ଚୌକା ବର୍ଷା କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିଛି ସମୟ ପାଇଁ ଅମ୍ବାତି ରାୟୁଡୁ(୨୩) ତାଙ୍କୁ ସହଯୋଗ କରିଥିଲେ। ହେଲେ ରାୟୁଡୁଙ୍କୁ ଆଉଟ କରି ଟମ୍‌ କୁରାନ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ରାଇନା ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ୍‌ ଆଉଟ ହୋଇ ଯାଇଥିଲେ। ପ୍ୟାଭିଲିୟନ ଫେରିବା ପୂର୍ବରୁ ୩୬ ବଲ୍‌ରେ ୫୪ ରନ୍‌ର ଇନିଂସ୍‌ ଖେଳିଥିବା ରାଇନା ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି।

ରାଇନାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଗ୍ରେଟ୍‌ ମହେନ୍ଦ୍ର ସିଂହ ଧୋନି। ସମସ୍ତଙ୍କ ନଜର ତାଙ୍କ ଉପରେ ମଧ୍ୟ ରହିଥିଲା। ହେଲେ ସେ ଖାତା ଖୋଲିବା ପୂର୍ବରୁ ଅଭେଶ ଖାନ୍‌ଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଚେନ୍ନାଇର ସ୍କୋର ୧୫.୩ ଓଭର୍‌ରେ ୧୩୭ ଥିଲା।

ଦଳ ୧୬୫ରୁ ୧୭୦ ରନ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଜାଡେଜା ଓ ସାମ କୁରାନ ସବୁ କିଛି ଓଲଟ ପାଲଟ କରିଦେଇଥିଲେ। ବିଶେଷ କରି ସାମ କୁରନା ୧୯ ଓଭର ବୋଲିଂ କରିବାକୁ ଆସିଥିବା ତାଙ୍କ ଭାଇ ଟମ କୁରାନ୍‌ଙ୍କୁ ଲଗାତର ୨ଟି ଛକା ଓ ଗୋଟିଏ ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ଓଭର୍‌ରେ ଚେନ୍ନାଇ ୨୩ ରନ୍‌ ଆଦାୟ କରିଥିଲା। ସାମ କୁରାନଙ୍କୁ ଜାଡେଜା ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ।

ଇନିଂସ୍‌ର ଶେଷ ବଲ୍‌ରେ ସାମ କୁରାନ(୩୪) ନିଜର ଦେଶର ସାଥୀ ଖେଳାଳି କ୍ରିସ୍‌ ୱକ୍ସଙ୍କ ବଲରେ କ୍ଲିନବୋଲ୍ଡ ହେବାରୁ ଚେନ୍ନାଇ ୧୮୮ରେ ଅଟକି ଯାଇଥିଲା। ସାମ କୁରାନ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଜାଡେଜା ଶେଷ ଯାଏ ୧୭ ବଲ୍‌ରେ ୨୬ ରନ୍‌ କରି ଅପରାଜିତ ରହିଥିଲେ।

Comments are closed.