ଦୁବାଇ – ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ରାଙ୍କିଙ୍ଗ୍ ରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ବଜାୟ ରଖିଛନ୍ତି । ସେ ଶୀର୍ଷ ସ୍ଥାନରେ ସ୍ଥିର ରହିଥିବା ବେଳେ ବୋଲିଂ ତାଲିକାରେ ଯଶପ୍ରୀତ ବୁମରାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି । ନିଜ ବାହାଘର ପାଇଁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଖେଳିନଥିବା ବୁମରାଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି । ଏହି ଷ୍ଟାର ପେସର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଯଥାକ୍ରମେ ୫୬ ଓ ୬୬ ରନ୍ କରିଥିବା କୋହଲି ସଦ୍ୟତମ ଆଇସିସି ବ୍ୟାଟିଂ ରାଙ୍କିଙ୍ଗରେ ୮୭୦ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । ଯୁବ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ରାହୁଲ ୩୧ତମ ସ୍ଥାନରୁ ୨୭ତମ ସ୍ଥାନକୁ ଲମ୍ଫ ଦେଇଛନ୍ତି ।
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ହାସଲ କରିଥିବା ବେଳେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଟପ୍-୧୦୦ରେ ପ୍ରବେଶ କରିଛନ୍ତି ।
ବୋଲିଂ ତାଲିକାରେ ଭାରତର ସିନିୟର ସିମ୍ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଆଗକୁ ବଢିଛନ୍ତି । ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ୪୨ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ଭୁବନେଶ୍ୱର ୯ଟି ସ୍ଥାନ ଉନ୍ନୀତ ହୋଇ ୧୧ତମ ସ୍ଥାନରେ ପହଞ୍ଚିଛନ୍ତି । ୨୦୧୭ ସେପ୍ଟେମ୍ବର ପରେ ଏହା ତାଙ୍କର ଶ୍ରେଷ୍ଠ ମାନ୍ୟତା । ସେହି ମ୍ୟାଚରେ ମଧ୍ୟ ୪ଟି ୱିକେଟ୍ ନେଇଥିବା ଶାର୍ଦ୍ଦୁଲ ଠାକୁରଙ୍କ ମାନ୍ୟତାରେ ବି ଉନ୍ନତି ଘଟିଛି । ଠାକୁର ୯୩ତମ ସ୍ଥାନରୁ ୮୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
Comments are closed.