ଆଜି ଭାରତବନ୍ଦ, ବନ୍ଦକୁ ୨୪ ଦଳର ସମର୍ଥନ, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ରେଳରୋକ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ବିଭିନ୍ନ କୃଷକ ସଂଗଠନମାନଙ୍କ ତରଫରୁ ଆଜି ଭାରତବନ୍ଦ ଡାକରା ଦିଆଯାଇଛି । ମଧ୍ୟାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଏହି ବନ୍ଦ ପାଳନ କରାଯିବ । ଚାଷୀମାନଙ୍କ ଏହି ଧର୍ମଘଟକୁ କଂଗ୍ରେସ ସମେତ ୨୪ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଭାରତବନ୍ଦରେ ଦେଶର ବିଭିନ୍ନ ଶ୍ରମିକ ୟୁନିୟନ ସାମିଲ ହୋଇଛନ୍ତି । ବ୍ୟାଙ୍କ୍ ୟୁନିୟନ ଗୁଡିକ ଭାରତବନ୍ଦରେ ଅଂଶଗ୍ରହଣ କରିନଥିଲେ ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । କୌଣସି ଦୋକାନବଜାର ଓ ବ୍ୟବସାୟ ପ୍ରତିଷ୍ଠାନକୁ ଜୋର ଜବଦରସ୍ତ କରାଯିବ ନାହିଁ । ଆମ୍ବୁଲେନ୍ସ ସେବାକୁ ବ୍ୟାହତ କରାଯିବନି ବୋଲି କୃଷକ ସଂଗଠନମାନେ କହିଛନ୍ତି । ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଭାରତ ବନ୍ଦକୁ କଂଗ୍ରେସ ସମେତ, ଏନସିପି, ତୃଣମୂଳ କଂଗ୍ରେସ, ଡିଏମକେ, ଟିଆରଏସ୍‌, ଆରଜେଡି, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଓ ବାମପନ୍ଥୀ ଦଳ ଗୁଡିକ ସମର୍ଥନ ଜଣାଇଛନ୍ତି । ତେଲେଙ୍ଗାନାରେ ଆଜି ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ପୂର୍ବକ ରାଜ୍ୟ ପରିବହନ ନିଗମ ତରଫରୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି । ସେପଟେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ କିଛି ସ୍ଥାନରେ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ରେଳରୋକ କରାଯିବା ସହ ପିକେଟିଂ କରାଯାଇଥିବା ସୂଚନା ମିଳିଛି ।

Comments are closed.