ଆଦର୍ଶ ସୃଷ୍ଟି କରୁଛି ଗଞ୍ଜାମ: ପ୍ରେସ୍ କ୍ଲବ୍ ହେଲା ସଙ୍ଗରୋଧ କେନ୍ଦ୍ର

ମହାମାରୀ କରୋନା ମୁକାବିଲାରେ ପ୍ରଥମ ଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ଦ୍ବାରା ହେଉ ବା ବ୍ୟବସାୟୀ ସଂଘ ଜରିଆରେ, ଜନସାଧାରଣଙ୍କ ଦ୍ବାରା ହେଉ ବା ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଏକାଧିକ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରାଯାଇ ପାରିଛି । ପରବର୍ତ୍ତୀ ସମୟରେ ରାଜ୍ୟରେ ବା ଦେଶରେ ତଦନୁରୂପ ପଦକ୍ଷେପ ନିଆଯାଉଛି । ଆଉ ଏବେ ଆଗେଇ ଆସିଛି ବ୍ରହ୍ମପୁର ପ୍ରେସ୍ କ୍ଲବ୍ । ରାଜ୍ୟରେ ପ୍ରଥମ କରି ବ୍ରହ୍ମପୁର ପ୍ରେସ୍ କ୍ଲବ୍ କୋଠାକୁ ସାମ୍ବାଦିକ ଓ ସେମାନଙ୍କ ପରିବାର ସକାଶେ ସଙ୍ଗରୋଧ କେନ୍ଦ୍ର ଭାବେ ପରିଣତ କରାଯାଇଛି ।

ଅନ୍ୟ କରୋନା ଯୋଦ୍ଧାଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ତୃଣମୂଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ କରୋନା ସମ୍ବନ୍ଧୀୟ ଖବର ସଂଗ୍ରହ, ପ୍ରଚାର ପ୍ରସାର, ତଥ୍ୟ ପ୍ରଦାନ, ସକରାତ୍ମକ ଖବର ଜରିଆରେ ମନୋବଳ ବୃଦ୍ଧି ସାଙ୍ଗକୁ ସମସ୍ୟା ବାବଦରେ ଅବଗତ କରାଇ ତାହାର ସମାଧାନ ଦିଗରେ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ବିଭିନ୍ନ ସ୍ଥାନକୁ ଯିବା, ଯଥାସମ୍ଭବ ସତର୍କତା ଅବଲମ୍ବନ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଠାରୁ ସୂଚନା ସଂଗ୍ରହ, ଫଟୋ ବା ଭିଡିଓ ଉତ୍ତୋଳନ କରିବା ମଧ୍ୟରେ ଅନେକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି। କିନ୍ତୁ ଖାସ୍ କରି ସାମ୍ବାଦିକ କିମ୍ବା ସେମାନଙ୍କ ପରିବାର ଲୋକ ସଂକ୍ରମିତ ହେଲେ ସୁଦ୍ଧା ସେମାନଙ୍କ ପ୍ରତି ଆବଶ୍ୟକ ଗୁରୁତ୍ବ ଦିଆଯିବାରେ ଅବହେଳା ନେଇ ଅଭିଯୋଗ ଉଠୁଥିଲା । ଦ୍ଵିତୀୟ ଲହରୀ କରୋନାରେ ଅନେକ ସାମ୍ବାଦିକ (ସଂଖ୍ୟାଧିକ ଯୁବ ବର୍ଗ) ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବା, ଏପରିକି ପ୍ରାଣ ହରାଇବାର ଖବର ମିଳୁଛି। ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଏକାଧିକ ଗଣମାଧ୍ୟମ ସହ ଜଡିତ ବ୍ୟକ୍ତିଙ୍କ ଗୁରୁତର ଆକ୍ରାନ୍ତ ହେବା, ପରଲୋକ ଖବର ମଧ୍ୟ ପ୍ରକାଶ ପାଇଛି । ଏହାକୁ ନଜରରେ ରଖି କେବଳ ସାମ୍ବାଦିକ ବା ସେମାନଙ୍କ ପରିବାର ଲୋକଙ୍କ ପାଇଁ ଏଭଳି ଏକ ସଫଳ ପ୍ରୟାସ କରିଛି ବ୍ରହ୍ମପୁର ପ୍ରେସ୍ କ୍ଲବ୍ ।

ପ୍ରେସ୍ କ୍ଲବ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀଙ୍କ ସୂଚନା ମୁତାବକ କରୋନା ପ୍ରଥମ ଲହରୀ ବେଳେ ମଧ୍ୟ ଏଭଳି ଉଦ୍ୟମ ହୋଇଥିଲା । କିନ୍ତୁ ତାହା ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଏଥର ସହରର ବହୁ ପ୍ରମୁଖ ଗଣମାଧ୍ୟମ ବ୍ୟକ୍ତିତ୍ବ ସଂକ୍ରମିତ ହେଲେଣି । ଅନେକ ସାମ୍ବାଦିକ ବା ସେମାନଙ୍କ ସମ୍ପର୍କୀୟ ପ୍ରାଣ ହରାଇବା ଖବର ମିଳିଛି। ସାମ୍ବାଦିକଟିଏ ଆକ୍ରାନ୍ତ ହେଲେ ସେ ବା ତାଙ୍କ ପରିବାର ଯିବ କୁଆଡେ ? ତେଣୁ ସେହି ଚିନ୍ତା କରି ବିଏମ୍‌ସିକୁ ଏଭଳି ଅନୁରୋଧ କରିଥିଲୁ। ବିଏମ୍‌ସି ସହଯୋଗରେ ପ୍ରେସ୍ କ୍ଲବ୍‌ କୋଠାକୁ ସ୍ଵତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଛି । ଏଠାରେ ୮ଟି ଶଯ୍ୟ ରହିଛି। ଆବଶ୍ୟକ ସାମଗ୍ରୀ ତଥା ଶଯ୍ୟା, ତକିଆ, ଚାଦର, ମଗ୍, ବାଲଟି, ପେଷ୍ଟ, ବ୍ରସ୍ ଆଦି ଯୋଗାଇ ଦିଆଯାଇଛି । ୨ ଅକ୍ସିମିଟର୍, ୨ ଥର୍ମାଲ ସ୍କ୍ରିନିଂ ମେସିନ୍ ଏଠି ଉପଲବ୍ଧ। ରହିଛି । ଲାୟନ୍ସ କ୍ଳବ୍ ତରଫରୁ ୩ଟି ଅକ୍ସିଜେନ୍‌ ସିଲିଣ୍ଡର ଦିଆଯିବାର ଆଶ୍ବାସନା ମିଳିଛି । ତେବେ ପ୍ରତିଟି ବେଡ୍ ପାଇଁ ପ୍ରଶାସନ ତରଫରୁ ଗୋଟିଏ ଲେଖାଏଁ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା କରିବାକୁ ପ୍ରୟାସ ହେଉଛି । ସେହିପରି ଆବଶ୍ୟକ ଔଷଧ ଯୋଗାଇଦେବାକୁ ଓସ୍ରୁ (ଓଡିଶା ସେଲସ୍ ରିପ୍ରେଜେଣ୍ଟେଟିଭ ୟୁନିଅନ୍- ମେଡିକାଲ) କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଉପର ମହଲା କୋଠା ଥିବାରୁ ବାୟୁ ସଂକ୍ରମଣରୁ ସ୍ଥାନଟି ଅପେକ୍ଷାକୃତ ନିରାପଦ । ଚାରିପଟ ଖୋଲା ଥିବାରୁ ଏଠି ପବନ ସ୍ବଚ୍ଛ ଚଳାଚଳ କରିପାରୁଛି । ମୁଖ୍ୟ ରାସ୍ତା ଥିବାରୁ ରାପିଡ୍ ରେସ୍‌ପନ୍ସ ଟିମ୍ (ଆରଆରଟି) ସୁବିଧାରେ ଏଠାକୁ ଆସି ପ୍ରତି ସମୟରେ ଯାଞ୍ଚ କରିପାରିବ । ନିକଟରେ ସିଡିଏମ୍ଓ ଅଫିସ୍, ସିଟି ହସ୍‌ପିଟାଲ ଥିବାରୁ ଡାକ୍ତର, ନର୍ସ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ସହଜରେ ମିଳିପାରିବ। ସନ୍ଦିଗ୍ଧ ବା ସଂକ୍ରମିତ ସାମ୍ବାଦିକ ଏଠି ଆଇସୋଲେସନ୍ ପିରିୟଡ୍ ସୁବିଧାରେ ବିତାଇ ପାରିବେ। ତେବେ ଆମେ ଆଶା କରିବା ତଥା ଭଗବାନଙ୍କୁ ପ୍ରାର୍ଥନା କରୁ ଯେ- କୌଣସି ଗଣମାଧ୍ୟମ ପ୍ରତିନିଧି ସଂକ୍ରମିତ ନହୁଅନ୍ତୁ ବା ଏହି କେନ୍ଦ୍ର କୌଣସି ପ୍ରକାରେ ବ୍ୟବହୃତ ନହେଉ। ଅପରପକ୍ଷରେ ବ୍ଲକ୍ ବା ଅନ୍ୟ ସହରରେ ବି ଏଭଳି କରିବାକୁ ସେ ମତ ଦେଇଛନ୍ତି।

ରାଜ୍ୟରେ ପ୍ରେସ୍ କ୍ଲବ୍ ସଙ୍ଗରୋଧ କେନ୍ଦ୍ରରେ ପରିଣତ ହେବା ପ୍ରଥମ । ଉଲ୍ଲେଖଯୋଗ୍ୟ ଯେ- ମୁଖ୍ୟମନ୍ତ୍ରୀ ରାଜ୍ୟର ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନେକ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଥିଲା । ଏଥର ମଧ୍ୟ ସେମାନଙ୍କ ସୁରକ୍ଷା ସକାଶେ ପ୍ରତିବଦ୍ଧତା ଦୋହରାଇଛନ୍ତି ସି.ଏମ୍ . ନବୀନ ପଟ୍ଟନାୟକ । ତେବେ କେବଳ ପ୍ରେସ୍ କ୍ଲବ ନୁହେଁ, ଏଥର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଦୈନିକ କାରବାର ସମୟକୁ ସୀମିତ ରଖି ସଟଡାଉନ୍ ଅବଧିକୁ ଅଧିକ ସମୟ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଶାସନକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । ଗଞ୍ଜାମ ଜିଲ୍ଲାପାଳ ପ୍ରଶାସନିକ ସ୍ତରରେ ଉଦାହରଣ ସୃଷ୍ଟି କରି ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍‌ପିଟାଲ୍ ବୁଲି ଚିକିତ୍ସା ସେବା ଅନୁଧ୍ୟାନ କରିଥିଲେ । ପୂର୍ବରୁ ମଧ୍ୟ ସପ୍ତାହାନ୍ତ ସଟଡାଉନକୁ ଜିଲ୍ଲାତମାମ ସଫଳତାର ସହ କାର୍ଯ୍ୟକାରୀ କରାଇବାକୁ ଗଞ୍ଜାମବାସୀ ନିଜ ଆଡୁ ଆଗେଇ ଆସିଥିଲେ । ଫଳରେ ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ସଫଳତା ମିଳିଛି । ଆଉ ରାଜ୍ୟରେ ପ୍ରଥମ କରି ଗଣମାଧ୍ୟମ ପାଇଁ ସଙ୍ଗରୋଧ କେନ୍ଦ୍ର ଏ ଦିଗରେ ଆଉ ଏକ ନଜୀର ସୃଷ୍ଟି କରିଛି ।

Comments are closed.