ଉତ୍ତରାଖଣ୍ଡ ହିମସ୍ଖଳନ: ତପୋବନ ଟନେଲ୍‌ରୁ ଆଉ ୮ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ନୂଆଦିଲ୍ଲୀ – ହିମସ୍ଖଳନ ପରେ ପୋତି ହୋଇଯାଇଥିବା ଚମୋଲି ଜିଲ୍ଲା ତପୋବନ ଜଳବିଦ୍ୟୁତ ପ୍ରକଳ୍ପ ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟନେଲରୁ ଆଜି ଆଉ ୮ ମୃତଦେହ ଉଦ୍ଧାର କରାଯାଇଛି । ଏଥିସହ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏବେ ବି ୧୫୬ ଲୋକ ନିଖୋଜ ଅଛନ୍ତି ।

ଆଜି ସକାଳେ ତପୋବନ ଟନେଲ୍‌ରେ କାଦପଙ୍କ କଢ଼ାଯିବା ବେଳେ ୧୨୫-୧୩୦ ମିଟର ଗଭୀରରୁ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଥିଲା । ଏନ୍‌ଡିଆରଏଫର ଟିମ୍ ମୃତଦେହ ଗୁଡିକୁ ସ୍ଥାନୀୟ ସରକାରୀ ଶବାଗୃହକୁ ଚିହ୍ନଟ ପାଇଁ ନେଇଥିଲେ । ଉଦ୍ଧାର ଆଠ ମୃତଦେହ ଭିତରୁ ଦୁଇଜଣଙ୍କ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ତେହରି ଜିଲ୍ଲା ନରେନ୍ଦ୍ର ନଗରର ହୋଇଥିବା ବେଳେ ଆଉ ଜଣେ ଡେରାଡୁନ ଜିଲ୍ଲା କାଲସିର ବାସିନ୍ଦା ବୋଲି ଚମୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି ।
ଟନେଲରୁ ଜୀବିତ ଉଦ୍ଧାର ଲୋକଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ପାଇଁ ଉଦ୍ଧାରକାର୍ଯ୍ୟ ସ୍ଥଳରେ ଏକ ହେଲିକପ୍ଟର ରଖାଯାଇଛି ।

Comments are closed.