ଉତ୍ତରାଖଣ୍ଡ ହିମସ୍ଖଳନ: ନିଖୋଜ ଲୋକଙ୍କୁ ମୃତ ଘୋଷଣା କରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ – ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାକୁ ୧୭ ଦିନ ବିତିଥିଲେ ବି ୧୩୦ରୁ ଊର୍ଦ୍ଧ୍ୱ ନିଖୋଜ ଲୋକଙ୍କ ପତ୍ତା ଏଯାବତ୍ ମିଳିପାରି ନାହିଁ । ବର୍ତ୍ତମାନ ସୁଦ୍ଧା ୭୦ ମୃତଦେହ ଏବଂ ୨୯ ମଣିଷ ଅଙ୍ଗ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୧୩୬ ଲୋକ ନିଖୋଜ ଥିବା କୁହାଯାଇଛି । ସେମାନଙ୍କ ପତ୍ତା ମିଳିବା ଆଶା କ୍ଷୀଣ ହେଉଥିବାରୁ ରାଜ୍ୟ ସରକାର ନିଖୋଜ ଲୋକଙ୍କୁ ମୃତ ଘୋଷଣା କରିବେ । ଖୁବ ଶୀଘ୍ର ଏନେଇ ବିଧିବଦ୍ଧ ଆଦେଶ ଜାରି କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ଯଦି ନିଖୋଜ ଲୋକଙ୍କୁ ସରକାର ମୃତ ଘୋଷଣା କରନ୍ତି, ତେବେ ସରକାରୀ ହିସାବରେ ହିମସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୦୬ରେ ପହଞ୍ଚିବ ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଚମେଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ବି ନିଖୋଜଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି । ଅନେକ ଜାଗାରୁ କିଛି ମୃତଦେହ ମିଳିଥିବା ବଳେ ଆଉ କେତେ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ତେବେ ଯେଉଁ ନିଖୋଜ ଲୋକମାନଙ୍କ ତଥ୍ୟ ମିଳିପାରି ନାହିଁ ସେମାନଙ୍କୁ ଏବେ ମୃତ ଘୋଷଣା କରାଯିବ ।

ଅନ୍ୟପଟେ ହିମସ୍ଖଳନ କାରଣରୁ ଋଷିଗଙ୍ଗା ନଦୀର ଉପର ମୁଣ୍ଡରେ ସୃଷ୍ଟି ହୋଇଥିôବା ପ୍ରାକୃତିକ ହ୍ରଦର ମୁହାଣକୁ ଚଉଡ଼ା କରାଯାଇଛି । ତଥାପି ଏହି ହ୍ରଦ ଆଉ ଏକ ପ୍ରଳୟଙ୍କରୀ ବନ୍ୟା ଆଣିବା ନେଇ ବିପଦ ରହିଛି । ହ୍ରଦର ମୁହାଣ ବେଶ୍ ଛୋଟ ଥିବାରୁ ପାଣି ମନ୍ଥର ଗତିରେ ନିଷ୍କାସନ ହେଉଥିଲା । ଏହାକୁ ଆଇଟିବିପି ଯବାନମାନେ ୧୫ ଫୁଟ୍ ଚଉଡ଼ା କରିଛନ୍ତି ।

Comments are closed.