ଉତ୍ତର ପ୍ରଦେଶ: କରୋନା କଟକଣାକୁ ଫୁ କରି ପାଳିଲେ ହୋଲି

ଲକ୍ଷ୍ନୌ – କରୋନା ସଂକ୍ରମଣ ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ହୋଲି ପାଇଁ ଜନଗହଳି ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । କିନ୍ତୁ ସବୁ କୋଭିଡ୍ ଗାଇଡ୍ ଲାଇନ୍‌କୁ ଫୁ’ କରି ହଜାର ହଜାର ଭକ୍ତ ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ରୁଣ୍ଡ ହୋଇ ହୋଲି ପାଳିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ମନ୍ଦିର ସମ୍ମୁଖରେ ଭିଡ଼ ଜମାଇଥିବା ଦେଖିବାକୁ ମିଳୁଛି । ସେମାନେ ପରସ୍ପରକୁ ଅବିର ଲଗାଇ ହୋଲି ଖେଳୁଛନ୍ତି । ସାମାଜିକ ଦୂରତା ଛାଡ଼ନ୍ତୁ, କାହାରି ମୁହଁରେ ମାସ୍କ ବି ନାହିଁ । ଭିଡିଓରେ ଦେଖିବାକୁ ମିଳୁଛି ମନ୍ଦିରର ପୂଜାରୀ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପ୍ରବେଶ ଦ୍ୱାରରୁ ଦୂରେଇ ରହିବାକୁ ଅନୁରୋଧ କରୁଛନ୍ତି ।

ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଓ ପ୍ରୟାଗରାଜରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ କଥା ତେଣେ ଥାଉ, ନେତାମାନେ ମଧ୍ୟ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ହୋଲି ଖେଳିଛନ୍ତି । ଇଟାୱା ଜିଲ୍ଲାରେ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଦଳୀୟ କର୍ମୀଙ୍କ ସହ ହୋଲି ଖେଳିଛନ୍ତି ।

କରୋନାର ଦ୍ୱିତୀୟ ଲହରୀ ଭୟ ମଧ୍ୟରେ ଗତ ସପ୍ତାହରେ ଉତ୍ତର ପ୍ରଦେଶ ସରକାର ନୂଆ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରିଥିଲେ । ସବୁ ପ୍ରକାର ଶୋଭାଯାତ୍ରା, ଜନଗହଳି, ଧାର୍ମିକ ସମାବେଶ ଉପରେ କଟକଣା ଲଗାଯାଇଥିଲା ।

Comments are closed.