ଏଣିକି ୨୪ ଘଣ୍ଟା ଚାଲିବ ଟିକାକରଣ, ଲୋକେ ନିଜ ସୁବିଧା ଅନୁସାରେ ଯେତେବେଳେ ଚାହିଁବେ ନେଇପାରିବେ ଟିକା

ନୂଆଦିଲ୍ଲୀ – ଏଣିକି ଲୋକେ ନିଜ ସୁବିଧା ଅନୁସାରେ ଯେଉଁ ସମୟରେ ଚାହିଁବେ ଟିକା ନେଇପାରିବେ । ଟିକାକରଣରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୨୪ ଘଣ୍ଟା ଟିକାକରଣ ସୁବିଧା ଉପଲବ୍ଧ କରାଇବା ପାଇଁ ସବୁ ହସ୍ପିଟାଲକୁ ଅନୁମତି ଦେଇଛନ୍ତି । ଲୋକମାନେ ଏବେ ନିଜ ସୁବିଧା ଅନୁସାରେ ଯେଉଁ ସମୟରେ ଚାହିଁବେ ଟିକା ନେଇପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ହିନ୍ଦୀରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଭାରତରେ ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫-୬୦ ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି । ସରକାରୀ ହସ୍ପିଟାଲ ସହ ପ୍ରଥମେ କିଛି ନିିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲକୁ ଟିକା ଦେବା ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏବେ କେନ୍ଦ୍ର ସରକାର ସବୁ ଘରୋଇ ହସ୍ପିଟାଲକୁ ଟିକାଦାନ କାର୍ଯ୍ୟରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ ସବୁ ସୁବିଧା ରହିଛି, ସେହି ହସ୍ପିଟାଲ ଗୁଡିକରେ ବି ଟିକାକରଣ ଚାଲିବ । ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା । ଘରୋଇ ହସ୍ପିଟାଲରେ ଟିକା ମୂଲ୍ୟ ପ୍ରତି ଡୋଜ୍ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Comments are closed.